
ମୌଳିକ ସୁବିଧାରୁ ବଞ୍ଚିତ ଠୋଙ୍ଗୋଜୁରୀ ଗାଁ କେଉଁ କାରଣରୁ ପହଞ୍ଚି ପାରୁନି ବିକାସ : ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ

- ପିଇବା ପାଣି, ରାସ୍ତା, ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ ମୌଳିକ ସୁବିଧା ନାହିଁ
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତରେ ଥିବା ଠେଙ୍ଗୋଯୁରି ଗ୍ରାମ । ଏହି ଗ୍ରାମରେ ପଡିନି ବିକାଶର ପାଦ, ନା ଅଛି ସ୍କୁଲ୍ ନା ଅଛି ରାସ୍ତା । ଏହି ଗ୍ରାମରେ ପାଖାପାଖି ୩୦ ପରିବାର ଏବଂ ପାଖାପାଖି ୧୦୦/୧୫୦/ଲୋକ ବସବାସ କରୁଛନ୍ତି । ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ଗମନା ଗମନ ସୁବିଧା ହୋଇ ପାରିନାହିଁ । ପଂଚାୟତ ମୁଖ୍ୟ ରାସ୍ତାରୁ ସେହି ଗ୍ରାମକୁ ଯିବା ମଧ୍ୟରେ ଗୋଟିଏ ବଡ କେନାଲ ପାର କରିବାକୁ ପଡ଼ିଥାଏ । ଏହି ଗ୍ରାମରୁ ମୁଖ୍ୟ ରାସ୍ତାର ଦୂରତା ପାଖାପାଖି ୪ କିମି । ଫଳରେ ଅଳ୍ପ ବର୍ଷା ହେବା ଦ୍ୱାରା କେନାଲରେ ପାଣି ଭର୍ତି ହୋଇଯାଏ ଏବଂ ଏହି ଗ୍ରାମର ଲୋକଙ୍କ ସମ୍ପର୍କ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଏହି ଗ୍ରାମରେ ଶିଶୁମାନଙ୍କ ପାଠ ପଢା ପାଇଁ ନା ଅଛି ଅଙ୍ଗନୱାଡି କେନ୍ଦ୍ର ନା ହିଁ ଅଛି ବିଦ୍ୟାଳୟ । ଆଜିର ଯୁଗରେ ଶିକ୍ଷା ସମସ୍ତଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ଏହି ଗ୍ରାମରେ ରହୁଥିବା ଶିଶୁ ଶିକ୍ଷାରୁ ବଂଚିତ । ପାଠ ପଢ଼ା ପାଇଁ ସେମାନଙ୍କୁ କମେଇମୁଣ୍ଡା ଯିବାକୁ ପଡିଥାଏ । ଯାହାକି ଘଞ୍ଚ ଜଙ୍ଗଲ ଦେଇ ଏକ ବଡ କେନାଲ ପାର କରି ଯିବାକୁ ପଡିଥାଏ, ତେଣୁ ଛୋଟ ଛୋଟ ଶିଶୁ ମାନଙ୍କ ପାଇଁ ଏହା ସମ୍ଭବ ନୁହେଁ । ଏହି ଗ୍ରାମର ସମସ୍ତ ଶିଶୁ ଶିକ୍ଷାରୁ ବଂଚିତ କେହି ବି ପାଠପଢ଼ା ପାଇଁ ସ୍କୁଲ୍ ଯାଇ ପାରୁ ନାହାଁନ୍ତି । ଏହି ଗ୍ରାମର କେବଳ ୪ ଜଣ ଯୁବକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । କୌଣସି ରୋଗୀ କିମ୍ବା ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ନେବାକୁ ହେଲେ ଏଠି ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ । ଫଳରେ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ୪ କିମି ପର୍ଯ୍ୟନ୍ତ ରୋଗୀକୁ ଅନ୍ୟ କୌଣସି ଉପାୟରେ ବୋହିକି ନେବାକୁ ପଡ଼ିଥାଏ । ଆଜିର ଯୁଗରେ ସରକାର ହଜାର ହଜାର କୋଟି ଖର୍ଚ୍ଚ କରି ବିକାଶର ନାରା ଦେଉଥିବା ବେଳେ ଏହି ଉପାନ୍ତ ଅଞ୍ଚଳରେ ଏଭଳି ପରିସ୍ଥିତି ରହିଛି । ବହୁ କଷ୍ଟରେ ଲୋକେ ଏଠି ଜୀବନ ଜାପାନ କରୁଛନ୍ତି । ଏହି ବିଷୟ ନେଇ ଅନେକ ସମୟରେ ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଅତି ଶୀଘ୍ର ଏହି ଅଞ୍ଚଳରେ କେନାଲ ମାନଙ୍କ ଉପରେ ପୋଲ ନିର୍ମାଣ କରି ଏହି ଗ୍ରାମ ପାଇଁ ରାସ୍ତା ନିର୍ମାଣ କରାଯାଉ ବୋଲି ଅଞ୍ଚଳବାସୀ ସରକାରଙ୍କୁ ଦାବି କରିଛନ୍ତି
।