ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ବଡ଼ଟିକା ପଞ୍ଚାୟତର ସାହାଜଛାପର ଗ୍ରାମରୁ ଗତ ତା: ୨୨/୧୦/୨୦୨୫ରେ ଏକ ଟ୍ରାକ୍ଟର ଇଞ୍ଜିନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ଦୀର୍ଘ ୫ ମାସ ପରେ ଚୋରି ଟ୍ରାକ୍ଟରକୁ ଉଦ୍ଧାର କରିବା ସହିତ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଲପାଲି ଗ୍ରାମର ରୁଦ୍ର ପେରା(୨୧), ଗଧାଧର ଗ୍ରାମର ସୁନିଲ ବାଙ୍କୀ(୨୩), ପିତେଇପାଲି ଗ୍ରାମର ଦୀପକ ଦୀପ, ଆଖିଦାଦର୍ ଗ୍ରାମର ଜୟ ସାଗର(୩୭) ଓ ବରଗଡ଼ ଜିଲ୍ଲା ଗୋଡଭଗା ଥାନା ଗୋଲକ ନଗର ନିବାସୀ ପିଚକୁଲା ଶ୍ରୀହରି(୩୮) । ଅଭିଯୁକ୍ତ ମାନେ ଟ୍ରାକ୍ଟରକୁ ଚୋରି କରିନେବା ପରେ ଅତାବିରା ଥାନା ଚକୁଳିଫାର୍ମ ଠାରେ ରହୁଥିବା ୱାଇ. ରାମବାବୁଙ୍କ ନିକଟରେ ଲକ୍ଷେ ଟଙ୍କାରେ ବନ୍ଧକ ରଖିଥିଲେ । ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଲୋଇସିଂହା ଆଇଆଇସି ଶିପୋରା ସରାୟା ଲୁଗୁନଙ୍କ ନେତୃତ୍ୱରେ ଏଏସଆଇ ଶ୍ରୀନିବାସ ବିଶ୍ଵାଳ, ହାବିଲଦାର ରଜନୀକାନ୍ତ ବଗର୍ତ୍ତି, ମଦନ ମୋହନ ସାହୁ, ବଳରାମ ପୂଝାରି, ମାନସ କବାସି, ଶଙ୍କର ମାଢି, ସୁରେନ୍ଦ୍ର ମିଶ୍ର ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଟ୍ରାକ୍ଟରକୁ ଜବତ କରିଥିବା ଜଣାଯାଇଛି । ସୂଚନା ମତେ, ବଲାଙ୍ଗିର ସଦର ଥାନା ହରିପାଲି ନିବାସୀ ଜମିଦାର ପଧାନ ତାଙ୍କ ଜନ ଡିଅର୍ ଟ୍ରାକ୍ଟର (ଓଡ଼ି ୦୩ ଏବି ୯୬୪୦)କୁ ଚାଷକାମ ପାଇଁ ବଡ଼ଟିକା ପଂଚାୟତର ସାହାଜଛାପର ଗ୍ରାମରେ ରଖିଥିଲେ । ସେଠାରୁ ଟ୍ରାକ୍ଟରଟି ଚୋରି ହୋଇଯାଇଥିବା ବେଳେ ଜମିଦାର ଲୋଇସିଂହା ଥାନାର ଦ୍ୱାରସ୍ଥ ହୋଇଥିଲେ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଲୁଗୁନ୍ ସୂଚନା ଦେଇଛନ୍ତି ।