jayashree

ଡେଲାଙ୍ଗ-କଣାସ ରାସ୍ତା ମରାମତି ନେଇ ରାସ୍ତା ଅବରୋଧ ଓ ଗଣଧାରଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କଣାସ ରାସ୍ତାର ଦୀର୍ଘ ଦିନ ହେଲା ଡେଲାଙ୍ଗ ବାୟା ବଜାରଠାରୁ କଲ୍ୟାଣପୁର ବଜାର ପର୍ଯ୍ୟନ୍ତ ୬ କି.ମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଦେଇ ସହସ୍ର ସଂଖ୍ୟାରେ ଭାରି ଯାନ, ମୋଟର ଗାଡ଼ି, ଜନସାଧାରଣ, ରୋଗୀ, ସରକାରୀ କର୍ମଚାରୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଜନପ୍ରତିନିଧି ଯାଇଥାନ୍ତି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ବନ୍ୟା ପରେ ଖାଲଖମାରେ ମାରଣଯନ୍ତା ପାଲିଟିଛି । ୮ ମାସ ତଳେ ରାସ୍ତା ମରାମତି ନାରେ ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାକୁ ଖୋଳି ଦେବା ଫଳରେ ସମଗ୍ର ଅଞ୍ଚଳ ଧୂଳି ଧୂସରରେ ପୂର୍ଣ୍ଣ ସହ ପରିବେଶ ନଷ୍ଟ ହେଉଛି । ଧୂଳିକଣା ସାଙ୍ଗକୁ ରାସ୍ତାର ଶୋଚନୀୟ ଅବସ୍ଥା ଯାହାକି ଗମନା ଗମନରେ ବ୍ୟାହତ ଘଟୁଛି । ଯାତାୟତ ସମୟରେ ଛୋଟ ବଡ଼ ଦୁର୍ଘଟଣା ସହିତ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ମରାମତି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳାରେ ଅତିଷ୍ଠ ହୋଇ ସ୍ଥାନୀୟ ଅଞ୍ଚଳବାସୀ ଶୁକ୍ରବାର ମୁନିନ୍ଦାଠାରେ ରାସ୍ତାରୋକ ସହ ରାସ୍ତା ଉପରେ ଧାରଣା ଦେବାରୁ ଦୀର୍ଘ ୬ ଘଣ୍ଟା ଧରି ଯାତାୟତ ଠପ ହୋଇଥିଲା । ଏହି ଗଣଧାରଣାରେ ସମାଜସେବୀ ରାଧାମୋହନ, ପୂର୍ବତନ ସରପଞ୍ଚ ଦୁର୍ଗା ଚରଣ ରାଉତରାୟ, ମୁନିନ୍ଦା ସରପଞ୍ଚ ଶେଷଦେବ ବାରିକ, ସମିତି ସଭ୍ୟା ସ୍ଵର୍ଣ୍ଣଲତା ନାୟକ, କଲ୍ୟାଣପୁର ସରପଞ୍ଚ ଗୋବର୍ଦ୍ଧନ ସେଠି, ଗୁଣନିଧି ସ୍ୱାଇଁଙ୍କ ସମେତ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ । ଖବର ପାଇ ପିପିଲି ଏସ୍ଡ଼ିପିଓ ବିରଞ୍ଚି ନାରାୟଣ ପତି ଓ ଡେଲାଙ୍ଗ ଥାନା ଆଇଆଇସି ଦେବାଶିଷ ମହାନ୍ତି ସମେତ ସଦଳବଳ ଧାରଣା ସ୍ଥାନରେ ପହଂଚି ଧାରଣା ପ୍ରତ୍ୟାହାର କରିବାକୁ କହିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆସି ରାସ୍ତା ମରାମତି ପାଇଁ ପ୍ରତିଶୃତି ଦେଲେ ଧାରଣା ଉଠାଯିବ ବୋଲି ଆନ୍ଦୋଳନକାରୀମାନେ କହିଥିଲେ । ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ତୁରନ୍ତ ରାସ୍ତା ମରାମତି ପାଇଁ ଜିଦ୍‌ ଧରି ବସିଥିଲେ । ସୂଚନା ପାଇ ପିପିଲି ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଜେଇ ସିଦ୍ଧେଶ୍ଵର ବେହେରା ଘଟଣାସ୍ଥଳରେ ପହଂଚି ଆଜି କାମ ଆରମ୍ଭ ହେବ ଓ ୧୦ଦିନ ମଧ୍ୟରେ ରାସ୍ତା ନିର୍ମାଣ ଶେଷ ହେବ ଓ ଧୂଳି ଉଡ଼ା ବନ୍ଦ ପାଇଁ ପ୍ରତିଦିନ ପାଣି ସିଞ୍ଚନ ହେବ ବୋଲି ପ୍ରତିଶୃତି ଦେଇଥିଲେ । ରାସ୍ତା କାମ ଆରମ୍ଭ ହେଲା ପରେ ପୂର୍ବତନ ସରପଞ୍ଚ ଦୁର୍ଗା ଚରଣ ରାଉତରାୟ ଧାରଣା ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.