centurian jitm

ଶିକ୍ଷୟିତ୍ରୀଙ୍କ ନିଆରା ଢଙ୍ଗରେ ଏଫ୍‌ଏଲ୍‌ଏନ୍‌ ପ୍ରଚାର

nschool
  • ହାତରେ ଏଫ୍‌ଏଲ୍‌ଏନ୍‌ ଲିଫଲେଟ ଧରି ଘରକୁ ଘର ଯାଇ ମାଆମାନଙ୍କୁ ବୁଝାଉଛନ୍ତି ଶିକ୍ଷୟିତ୍ରୀ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ବୃତ୍ତିଗତ ଜୀବନରେ କର୍ତ୍ତବ୍ୟନିଷ୍ଠା, ସମାୟାନୁବର୍ତିତା, ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଜଣେ ବ୍ୟକ୍ତି ସମ୍ମାନର ଅଧିକାରୀ ହୋଇଥାଏ । ସମସ୍ତଙ୍କଠାରୁ ଅଜସ୍ର ପ୍ରଶଂସା ସାଉଁଟି ଥାଏ । ବ୍ୟକ୍ତି ନିଜର ଅଭିନବ କାର୍ଯ୍ୟ ପାଇଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ । ଗୁରୁ ସଦା ସର୍ବଦା ଶିଶୁ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥାନ୍ତି । ଶିଶୁ ମାନଙ୍କର ଗୁଣାତ୍ମକ ଶୈକ୍ଷିକ ବିକାଶ ସାଧନ ପାଇଁ ଅଭିନବ ପନ୍ଥା ଗ୍ରହଣ କରିଥାନ୍ତି । ଜଣେ ଶିକ୍ଷୟିତ୍ରୀ ନିଆରା ଢଙ୍ଗରେ ଘରକୁ ଘର ବୁଲି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଆହରଣ ନିମନ୍ତେ ଏଫ୍‌ଏଲ୍‌ଏନ୍‌ ଲିଫ୍ଲେଟ ମାଆ ମାନଙ୍କୁ ଦେଇ ବୁଝାଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବାର୍ହା କ୍ଲଷ୍ଟର ଅନ୍ତର୍ଗତ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ମଡେଲ ସ୍କୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲର ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ତପସ୍ୱିନୀ ଦାଶ । ସେ ଘରକୁ ଘର ଯାଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ଲିଫଲେଟ ମାଆ ମାନଙ୍କୁ ଦେଉଛନ୍ତି । ସେଥିରେ ଥିବା ମୌଳିକ ଦକ୍ଷତା ଗୁଡିକୁ ମାଆ ମାନଙ୍କୁ ବୁଝାଉଛନ୍ତି । ମାଆ ମାନେ ହେଲେ ଶିଶୁର ଆଦ୍ୟ ଗୁରୁ । ସେମାନେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିଷୟରେ ଅବଗତ ହେଲେ ଶିଶୁ ମାନଙ୍କୁ ଶିଖାଇ ପାରିବେ । ମାଆ ମାନେ ପ୍ରଥମରୁ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଶିଶୁ ମାନଙ୍କୁ ଘରେ ବିଭିନ୍ନ ବସ୍ତୁର ନାମ, ବସ୍ତୁ ମାନଙ୍କର ରଙ୍ଗ, ଯୋଗ, ବିଯୋଗ, ବସ୍ତୁର ଆକୃତି, ଓଜନିଆ ହାଲୁକା ଗଳ୍ପ କଥନ ପରିବେଶରେ ଦେଖୁଥିବା ବିଭିନ୍ନ ବସ୍ତୁର ନାମ ଇତ୍ୟାଦି ମୌଳିକ ଧାରଣାଗୁଡିକୁ ଶିଶୁ ମାନଙ୍କୁ ଯେପରି ଶିଖାଇ ପାରିବେ ସେ ବିଷୟରେ ମାଆ ମାନଙ୍କୁ ଶିକ୍ଷୟିତ୍ରୀ ଘରକୁ ଘର ଯାଇ ବୁଝାଉଛନ୍ତି । ଶିକ୍ଷୟିତ୍ରୀଙ୍କର ନିଆରା ପ୍ରୟାସ ଯୋଗୁ ଶିଶୁମାନେ ଦକ୍ଷତା ଆହରଣ କରି ପାରିବେ ଓ ଗୁଣାତ୍ମକ ଶୈକ୍ଷିକ ବିକାଶ ଘଟିବ । ଶିକ୍ଷୟିତ୍ରୀଙ୍କର ଅଭିନବ ପ୍ରୟାସକୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲର ପ୍ରଧାନ ଶିକ୍ଷକ ହେମସାଗର ବାଘ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାୟାବାର୍ହା ଜୟ ଶ୍ରୀରାମ ସିକନ୍ଦର, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଡୁଙ୍ଗୁରିପାଲି ଗଞ୍ଜଲୁ ମିର୍ଧା ସାଧୁବାଦ ଜଣାଇଛନ୍ତି । ସବୁ ମହଲରେ ଶିକ୍ଷୟିତ୍ରୀଙ୍କର ନିଆରା ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.