ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟିରେ ପାଳନ ହେଲା ବିଶ୍ୱ ମତ୍ସ୍ୟ ଦିବସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ବନ୍ଦର ପରିସରରେ ଥିବା ଜେଟି ନିକଟରେ ପ୍ରଥମ ଥର ପାଇଁ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜୀବୀ କମିଟି ପକ୍ଷରୁ ସୋମବାର ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ସାରା ବିଶ୍ୱରେ ମତ୍ସ୍ୟ ଦିବସ ପାଳନ କରାଯାଉଥିବା ବେଳେ ଏହି ଅଂଚଳର ମତ୍ସ୍ୟଜୀବୀମାନେ ମତ୍ସ୍ୟ ଦିବସ ସମ୍ପର୍କରେ ପୂର୍ବରୁ ଅବଗତ ନଥିବା ବେଳେ ଏହି କମିଟି ପକ୍ଷରୁ ମତ୍ସ୍ୟ ଦିବସକୁ ମହାସମାରୋହରେ ପାଳନ କରାଯାଇଛି । ତେଣୁ ଆୟୋଜକମାନଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିର ସମ୍ପାଦକ ଏନ. ଗୋପାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସହକାରୀ ମତ୍ସ୍ୟ ଅଧିକାରୀ (ଛତ୍ରପୁର) ବିଶ୍ୱ ଭୂଷଣ ଜେନା, ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବେହେରା, ଛତ୍ରପୁର ପ୍ରେସ୍‌ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାର ସବ ଇନିସପେକ୍ଟର ଏ.ଏନ.ଏମ ରାଓ, ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିର ସଭାପତି ଏମ୍‌. କାମରାଜୁ, ବଡ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ଇ. ସୁରେନ୍ଦ୍ର, ସମ୍ପାଦକ ଜି. ଭେଙ୍କେଟ, ଏଲ୍‌. ଗୁଣ୍ଡିଚା ପ୍ରମୁଖ ଯୋଗ ଦେଇ ଦିବସ ସମ୍ପର୍କରେ ଉପସ୍ଥିତ ମତ୍ସ୍ୟଜୀବୀମାନଙ୍କୁ ଅବଗତ କରାଇବା ସହ ମତ୍ସ୍ୟଜୀବୀମାନଙ୍କ ହିତ ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ । ଯୁବନେତା ଏନ୍‌. ଦୀନବନ୍ଧୁ ଅଂଚଳର ମତ୍ସ୍ୟଜୀବୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବରୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆଧୁନିକ ଧରଣର ମତ୍ସ୍ୟ ଜେଟିକୁ ଏଠାରେ ତୁରନ୍ତ ନିର୍ମାଣ କରିବା, ମତ୍ସ୍ୟଜୀବୀ (ନୋଳିଆ) ସମ୍ପ୍ରଦାୟ ଲୋକଙ୍କୁ ଅନୁସୂଚିତ ଜାତିର ମାନ୍ୟତା ପ୍ରଦାନ କରିବା ସମେତ ବିଭିନ୍ନ ଦାବୀ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ କମିଟି ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ.ଦିଲ୍ଲୀପ, ଏନ.କ୍ରିଷ୍ଣା, ଜି.ମୋହନ, ଏ.କାଳିଆଙ୍କ ସମେତ ପଂଚାୟତର ବହୁ ମତ୍ସ୍ୟଜୀବୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!