jayashree

ଓଡିଶାରେ କୋରୋନା ମୃତ୍ୟୁ ସଂଖ୍ୟା ୨୫୦୩୨

  • ସରକାରଙ୍କ ଅନୁକମ୍ପା ସହୟତା ପାଇଛନ୍ତି ୨୦୩୯୭
  • ଖୋର୍ଦ୍ଧାରେ ସର୍ବାଧିକ ଓ ଦେବଗଡରେ ସବୁଠୁ କମ କରୋନା ମୃତ୍ୟୁ
  • ସମ୍ବେଦନହୀନ ଭାବେ କାର୍ୟ୍ୟ କରିଛନ୍ତି ରାଜ୍ୟ ସରକାର : ହେମନ୍ତ ପଣ୍ଡା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଲହର ସମୟରେ ରାଜ୍ୟର ପ୍ରାୟ ପ୍ରତ୍ୟେକ ଘର କାନ୍ଦ ବୋବାଳୀରେ ଫାଟି ପଡୁଥିଲା । ନିକଟ ସମ୍ପର୍କୀୟ କେହି ନା କେହି ଚାଲି ଯାଉଥିଲେ ଆର ପାରିକୁ । କିନ୍ତୁ ସମଗ୍ର ଓଡିଶାରେ ଜିଲ୍ଲା ଓ୍ୟାରି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ଭାବେ କେତେ ଥିଲା ଓ ସରକାର ଘୋଷଣା କରିଥିବା ୫୦ ହଜାର ଟଙ୍କା ଅନୁକମ୍ପା ରାଶି କେତେ ପରିବାରଙ୍କୁ ମିଳିଛି ତାହା ସଠିକ ଭାବେ ଲୋକଲୋଚନକୁ ଆସିନଥିଲା । ସରକରଙ୍କ ପାଖରୁ ଏହି ତଥ୍ୟ ସଂଗ୍ରହ କରି ରାଜ୍ୟର ବିଶିଷ୍ଟ ସୂଚନା କର୍ମୀ ହେମନ୍ତ କୁମାର ପଣ୍ଡା ଏହାକୁ ସାର୍ବଜାନୀନ କରିଛନ୍ତି । କୋରୋନା ଯୋଗୁଁ ଓଡିଶାରେ ୨୫୦୩୨ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଶ୍ରୀ ପଣ୍ଡାଙ୍କୁ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୬୦୭୭/ଆର ଆଣ୍ଡ ଡିଏମ୍‌ ତା ୨୨/୧୧/୨୦୨୩ ଯୋଗେ ତଥ୍ୟ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟର ସର୍ବାଧିକ ୫୯୮୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବଗଡ ଜିଲ୍ଲାରେ ସବୁଠୁ କମ୍‌ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା କଥା ତଥ୍ୟରୁ ସ୍ପଷ୍ଟ ହୋଇଛି । ଖୋର୍ଦ୍ଧା ପରେ ଦ୍ୱିତୀୟରେ କଟକ ଜିଲ୍ଲାରେ ୩୪୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରେ ଜିଲ୍ଲାରେ ୧୯୪୧, ଗଞାମ ଜିଲ୍ଲାରେ ୧୭୭୨, ସମ୍ବଲପୁର ଜିଲ୍ଲାରେ ୧୪୬୮, ବରଗଡରେ ୮୫୮, ପୁରୀରେ ୭୮୪, ବାଲେଶ୍ୱରରେ ୭୬୮, ଅନୁଗୁଳରେ ୭୨୧, ମୟୁରଭଞ୍ଜରେ ୬୪୭, ଯାଜପୁରରେ ୬୪୫ ଓ ବଲାଙ୍ଗିରରେ ୫୮୬, କଳାହାଣ୍ଡିରେ ୫୨୪, କେନ୍ଦୁଝରରେ ମଧ୍ୟ ୫୨୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟାନ୍ୟ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୦୦ ତଳକୁ ରହିଛି । ଏହିଭଳି ରାଜ୍ୟରେ ୨୫୦୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରଙ୍କ ଦ୍ୱାରା ଘୋଷିତ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ମୃତକଙ୍କ ପରିବାର ବର୍ଗ ପାଇବା କଥା ହେଲେ ମାତ୍ର ୨୦୩୯୬ ପରିବାର ଅନୁକମ୍ପା ସହାୟତା ରାଶି ପାଇଥିବା ତଥ୍ୟରୁ ଜଣାପଡିଛି । ଅନୁକମ୍ପା ସହାୟତା ରାଶି ପାଇଁ ୨୧୧୭୫ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଛି । ଅର୍ଥାତ୍ ୩୮୫୭ ପରିବାର ପକ୍ଷରୁ ଆବେଦନ କରାଯାଇ ନଥିବା ତଥ୍ୟରେ କୁହାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏତେ ସଂଖ୍ୟାରେ ମୃତକଙ୍କ ପରିବାର କାହିଁକି ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପା ରାଶି ପାଇଁ ଆବେଦନ କଲେ ନାହିଁ ଏବଂ ଯଦି ଦୁଃଖାବିଭୁତ ପରିବାରବର୍ଗ ଆବେଦନ କଲେ ନାହିଁ ସରକାରୀ ସଂସ୍ଥା ସେମାନଙ୍କ ପାଖକୁ କାହିଁକି ପହଞ୍ଚିଲେ ନାହିଁ ବୋଲି ଶ୍ରୀ ପଣ୍ଡା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସର୍ବ ଭାରତୀୟ ସ୍ତରରେ କରୋନା ମୃତକଙ୍କ ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାର ଅନୁକମ୍ପା ମୃତକଙ୍କ ପରିବାରବର୍ଗଙ୍କ ପାଇଁ ନଥିବା କଥା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ବୋଲି ସୂଚନା କର୍ମୀ ପଣ୍ଡା କହିବା ସଙ୍ଗେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଏହି ଯେ, କେତେକ ଜିଲ୍ଲାରେ ମୃତକଙ୍କ ସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ବେଳେ ଆଉ କେତେକ ଜିଲ୍ଲାରେ କମ ଲୋକଙ୍କୁ ପ୍ରଦାନ କରାଯାଇଛି । ଉଦାହରଣ ସ୍ୱରୁପ କେନ୍ଦ୍ରାପଡା ଜିଲ୍ଲାରେ କରୋନା ମୃତ୍ୟୁ ୨୯୫ ଜଣ ଦର୍ଶାଯାଇଥିବା ବେଳେ ୫୨୦ ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସେହିଭଳି ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ନୟାଗଡ ଓ ପୁରୀ ଜିଲ୍ଲାରେ ମାନଙ୍କରେ ମୃତକଙ୍କ ସଂଖ୍ୟା ଅପେକ୍ଷା ଅଧିକ ସଂଖ୍ୟକ ପରିବାବର୍ଗଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି । କିନ୍ତୁ କଟକ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, ସମ୍ବଲପୁର, କୋରାପୁଟ, ମାଲକାନଗିରି ଇତ୍ୟାଦି ଜିଲ୍ଲାରେ ମୃତକଙ୍କ ସଂଖ୍ୟାଠାରୁ ଯଥେଷ୍ଟ କମ ପରିବାରଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି । ମହାମାରୀରେ ସରକାରୀ ବ୍ୟବସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ସକ୍ରିୟ ରହି ସଠିକ ଭାବେ ରୋଗୀ ଓ ମୃତକଙ୍କ ସଂଖ୍ୟା ଗଣନା କରିବା ଆବଶ୍ୟକତା ଥିଲେ ମଧ୍ୟ ଓଡିଶାର ଶାସନ କଳ ଏହା କରିପାରି ନଥିବା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ତେଣୁ ମୃତକଙ୍କ ସଂଖ୍ୟା ସହ ଅନୁକମ୍ପା ରାଶି ପାଇଁ ଆବେଦନକାରୀଙ୍କ ସଂଖ୍ୟା ଓ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ସଂଖ୍ୟାରେ ତାଳମେଳ ଆଦୌ ନାହିଁ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଅନୁକମ୍ପା ରାଶି ପାଇନଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଏଜେନ୍ସି ଯୋଗାଯୋଗ କରିବା ପୂର୍ବକ ପୁନଶ୍ଚ ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଆବେଦନ ପତ୍ର ସଂଗ୍ରହ କରି କେନ୍ଦ୍ର ସରକାର ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଅନୁକମ୍ପା ରାଶି ତୁରନ୍ତ ପୈଠ କରିବାକୁ ସୂଚନା କର୍ମୀ ଶ୍ରୀ ପଣ୍ଡା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବୀ କରିଛନ୍ତି ।

Leave A Reply

Your email address will not be published.