ମୋ ପ୍ରିୟ ଦେଶବାସୀଗଣ,
ନମସ୍କାର
ସାରା ଦେଶରେ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଛି, ଏହି ଅବସରରେ ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଏହି ପର୍ବ ଆପଣମାନଙ୍କ ପାଇଁ ସୁସ୍ଥତା, ସମୃଦ୍ଧି, ଆନନ୍ଦ ଓ ଶାନ୍ତିର ସନ୍ଦେଶ ନେଇ ଆସୁ । ଚଳିତ ବର୍ଷ, ପାର୍ବଣ ଋତୁ ଅଧିକ ଖୁସିର ସନ୍ଦେଶ ନେଇ ଆସିଛି । ସେପ୍ଟେମ୍ବର ୨୨ରୁ ଦେଶରେ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହୋଇଛି । ଏହା ସହିତ ସମଗ୍ର ଦେଶରେ ‘ଜିଏସଟି ବଚତ୍ ଉତ୍ସବ’ ବା ‘ଜିଏସଟି ସଞ୍ଚୟ ଉତ୍ସବ’ ଆରମ୍ଭ ହୋଇଛି । ଚାଷୀ, ମହିଳା, ଯୁବବର୍ଗ, ଗରିବ, ମଧ୍ୟବିତ୍ତ, ବ୍ୟବସାୟୀ ଏବଂ ଏମଏସଏମଇ ସମାଜର ପ୍ରତ୍ୟେକ ବର୍ଗ ପାଇଁ ଏହି ସଂସ୍କାର ପ୍ରତ୍ୟକ୍ଷ ରୂପେ ଲାଭଦାୟକ ହେବ । ଏହା କେବଳ ସେମାନଙ୍କ ସଞ୍ଚୟକୁ ବୃଦ୍ଧି କରିବ ନୁହେଁ, ବରଂ ଅଧିକ ଅଭିବୃଦ୍ଧି ଓ ନିବେଶକୁ ପ୍ରୋତ୍ସାହନ ଦେବ । ଏହାର ପରିଣାମସ୍ୱରୂପ ପ୍ରତ୍ୟେକ ରାଜ୍ୟ ଓ ଅଞ୍ଚଳର ପ୍ରଗତି ତ୍ୱରାନ୍ୱିତ ହେବ । ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି, ଏଥିରେ ମୁଖ୍ୟତଃ ୫ ପ୍ରତିଶତ ଏବଂ ୧୮ ପ୍ରତିଶତର ଦୁଇଟି ସ୍ଲାବ୍ ରହିଛି । ଖାଦ୍ୟ, ଔଷଧ, ସାବୁନ, ଟୁଥପେଷ୍ଟ, ବୀମା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦୈନିକ ସାମଗ୍ରୀ ଏବେ ଟିକସମୁକ୍ତ ହେବ କିମ୍ବା ସର୍ବନିମ୍ନ ୫ ପ୍ରତିଶତ ଟିକସ ସ୍ଲାବ ମଧ୍ୟରେ ରହିବ । ପୂର୍ବରୁ ୧୨ ପ୍ରତିଶତ ଟିକସ ଲାଗୁଥିବା ପ୍ରାୟ ସବୁ ସାମଗ୍ରୀଗୁଡ଼ିକ ଉପରେ ୫ ପ୍ରତିଶତ ଟିକସ ଲାଗୁ କରାଯାଇଛି । ବିଭିନ୍ନ ଦୋକାନୀ ଓ ବ୍ୟବସାୟୀମାନଙ୍କ ଦ୍ୱାରା ‘ପୂର୍ବରୁ’ ଏବଂ ‘ବର୍ତ୍ତମାନ’ ଟିକସ ବୋର୍ଡ ପ୍ରଦର୍ଶନ କରାଯିବା ଅତ୍ୟନ୍ତ ଉତ୍ସାହଜନକ । ଏହି ବୋର୍ଡଗୁଡ଼ିକରେ ସଂସ୍କାର ପୂର୍ବରୁ ଏବଂ ସଂସ୍କାର ପରେ ଲାଗୁଥିବା ଟିକସ ହାରର ସ୍ପଷ୍ଟ ତୁଳନାତ୍ମକ ସୂଚନା ଦିଆଯାଇଛି । ଗତ କିଛି ବର୍ଷ ମଧ୍ୟରେ, ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାଠାରୁ ଉପରକୁ ଉଠି ଏକ ଆକାଂକ୍ଷୀ ନବ-ମଧ୍ୟବିତ୍ତ ବର୍ଗ ଗଠନ କରିଛନ୍ତି । ଏହାସହିତ, ଆମେ ଆୟକରରେ ବ୍ୟାପକ ହ୍ରାସ କରି ଆମର ମଧ୍ୟବିତ୍ତ ବର୍ଗଙ୍କ ହାତମୁଠାକୁ ମଧ୍ୟ ମଜବୁତ କରିଛୁ, ଯେଉଁଥିରେ ବାର୍ଷିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଇଛି । ଯଦି ଆମେ ଆୟକର ରିହାତି ଏବଂ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରକୁ ମିଶାଇବା, ତେବେ ଏହା ଲୋକମାନଙ୍କ ପାଇଁ ପାଖାପାଖି ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବ । ଆପଣଙ୍କ ଘରୋଇ ଖର୍ଚ୍ଚ ହ୍ରାସ ପାଇବ ଏବଂ ଗୃହ ନିର୍ମାଣ, ଯାନବାହାନ କ୍ରୟ, ଉପକରଣ କିଣିବା, ବାହାରେ ଖାଇବା କିମ୍ବା ପରିବାର ସହିତ ଛୁଟି ଯୋଜନା କରିବା ଭଳି ଆଶା ପୂରଣ କରିବା ସହଜ ହେବ । ୨୦୧୭ ମସିହାରେ ଆମ ଦେଶର ଜିଏସଟି ଯାତ୍ରା ଆରମ୍ଭ ହୋଇଥିଲା । ଏହା ଆମ ନାଗରିକ ଏବଂ ବ୍ୟବସାୟଗୁଡ଼ିକୁ ସଂଖ୍ୟାଧିକ ଟିକସର ଜାଲରୁ ମୁକ୍ତ କରିବା ଦିଗରେ ଏକ ନିର୍ଣ୍ଣାୟକ ମୋଡ଼ ସାଜିଥିଲା । ଜିଏସଟି ଦେଶକୁ ଆର୍ଥିକ ଭାବରେ ଏକତ୍ରିତ କରିଥିଲା । ‘‘ଏକ ରାଷ୍ଟ୍ର, ଏକ ଟିକସ’’ ସମାନତା ଏବଂ ଆଶ୍ୱସ୍ତି ପ୍ରଦାନ କରିଥିଲା । କେନ୍ଦ୍ର ଏବଂ ରାଜ୍ୟ ଉଭୟଙ୍କ ସକ୍ରିୟ ଅଂଶଗ୍ରହଣରେ ଜିଏସଟି ପରିଷଦ ଅନେକ ଲୋକାଭିମୁଖୀ ନିଷ୍ପତ୍ତି ନେଇଛି । ବର୍ତ୍ତମାନ, ଏହି ନୂତନ ସଂସ୍କାରଗୁଡ଼ିକ ଟିକସ ବ୍ୟବସ୍ଥାକୁ ସରଳ କରି, ଦର ହ୍ରାସ କରି ଏବଂ ଲୋକଙ୍କ ସଞ୍ଚୟ ବୃଦ୍ଧିକରି ଆମକୁ ଆହୁରି ଆଗକୁ ନେଇଯାଉଛି । ଆମର କ୍ଷୁଦ୍ର ଶିଳ୍ପ, ଦୋକାନୀ, ବ୍ୟବସାୟୀ, ଉଦ୍ୟୋଗୀ ଏବଂ ଏମଏସଏମଇ ମାନେ ମଧ୍ୟ ଏବେ ଅଧିକ ସହଜରେ ବ୍ୟବସାୟ କରିପାରିବେ ଏବଂ ସେମାନଙ୍କ ପାଇଁ ଟିକସ ନିୟମ ଅନୁପାଳନ ସହଜ ହେବ । ବିଶେଷକରି ଏମଏସଏମଇ କ୍ଷେତ୍ରରେ କମ ଟିକସ, କମ ମୂଲ୍ୟ ଏବଂ ସରଳ ନିୟମର ଅର୍ଥ ହେଉଛି ଭଲ ବିକ୍ରୟ, କମ୍ ଅନୁପାଳନ ବୋଝ ଏବଂ ସୁଯୋଗର ଅଭିବୃଦ୍ଧି । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ହେଉଛି ଆମର ସାମୂହିକ ଲକ୍ଷ୍ୟ । ଏହାକୁ ହାସଲ କରିବା ପାଇଁ ଆତ୍ମନିର୍ଭରଶୀଳତାର ମାର୍ଗରେ ଅଗ୍ରସର ହେବା ଅତ୍ୟନ୍ତ ଜରୁରୀ । ଏହି ସଂସ୍କାରଗୁଡ଼ିକ ଆମର ସ୍ଥାନୀୟ ଉତ୍ପାଦନ ଆଧାରକୁ ମଜବୁତ କରିବା ସହିତ ଆତ୍ମନିର୍ଭର ଭାରତ ଆଡ଼କୁ ପଥ ପ୍ରଶସ୍ତ କରିବ । ଅନୁରୂପ ଭାବେ, ଏହି ପାର୍ବଣ ଋତୁରେ ଆମେ ସମସ୍ତେ ‘ଭାରତରେ ତିଆରି’ ଉତ୍ପାଦକୁ ସମର୍ଥନ କରିବାର ସଂକଳ୍ପ ନେବା ଆବଶ୍ୟକ । ଏହାର ଅର୍ଥ ହେଉଛି, ବ୍ରାଣ୍ଡ କିମ୍ବା କମ୍ପାନୀ ନିର୍ବିଶେଷରେ, ଭାରତୀୟଙ୍କ ଝାଳବୁହା କଠିନ ପରିଶ୍ରମରେ ତିଆରି ସ୍ୱଦେଶୀ ଉତ୍ପାଦକୁ କିଣିବା ଏବଂ ପ୍ରୋତ୍ସାହନ ଦେବା । ଯେତେବେଳେ ଆପଣ ଆମର ନିଜସ୍ୱ କାରିଗର, ଶ୍ରମିକ ଏବଂ ଶିଳ୍ପ ଦ୍ୱାରା ନିର୍ମିତ ଉତ୍ପାଦ କିଣନ୍ତି, ଆପଣ ଅନେକ ପରିବାରକୁ ସେମାନଙ୍କର ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଥା’ନ୍ତି ଏବଂ ଆମର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି । ମୁଁ ଆମର ଦୋକାନୀ ଏବଂ ବ୍ୟବସାୟୀମାନଙ୍କୁ ଭାରତରେ ନିର୍ମିତ ଉତ୍ପାଦ ବିକ୍ରୟ କରିବାକୁ ନିବେଦନ କରୁଛି । ଚାଲନ୍ତୁ ଗର୍ବର ସହିତ କହିବା – ଆମେ କିଣୁ ସ୍ୱଦେଶୀ । ଚାଲନ୍ତୁ ଗର୍ବର ସହିତ କହିବା – ଆମେ ବିକୁ ସ୍ୱଦେଶୀ । ମୁଁ ରାଜ୍ୟ ସରକାରମାନଙ୍କୁ ଶିଳ୍ପ, ଉତ୍ପାଦନ ଏବଂ ନିବେଶ ପରିବେଶରେ ଉନ୍ନତି ଆଣିବାକୁ ମଧ୍ୟ ଅନୁରୋଧ କରୁଛି । ପୁଣିଥରେ, ମୁଁ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ‘ଜିଏସଟି ସଞ୍ଚୟ ମହୋତ୍ସବ’ ମାଧ୍ୟମରେ ଏକ ସୁଖମୟ ନବରାତ୍ରୀ ତଥା ଖୁସି ଓ ସଞ୍ଚୟରେ ପରିପୂର୍ଣ୍ଣ ପାର୍ବଣ ଋତୁର ଶୁଭକାମନା ଜଣାଉଛି । ଏହି ସଂସ୍କାରଗୁଡ଼ିକ ପ୍ରତ୍ୟେକ ଭାରତୀୟ ପରିବାରରେ ଅଧିକ ସମୃଦ୍ଧି ଆଣିଦେଉ ।