ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ହିନ୍ଦୁ ମାନ୍ୟତା ଅନୁଯାୟୀ ଦେବାଧି ଦେବ ମହାଦେବ ଏବଂ ଶକ୍ତି ସ୍ଵରୂପିଣୀ ମା’ ଜଗତ ଜନନୀ ପାର୍ବତୀଙ୍କର ପବିତ୍ର ବିବାହ ତିଥି ହିସାବରେ ପାଲନ କରାଯାଇଥାଏ । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ଏହି ତିଥିରୁ ପ୍ରକୃତି ଶୀତଳତାକୁ ପରିବର୍ତ୍ତିତ ହୋଇଥାଏ । ତେଣୁ ଏହି ତିଥିରେ ହିଁ ଶିବ ପାର୍ବତୀ ବିବାହ ଉତ୍ସବ ଆୟୋଜନ ହେବା ସହ ଷଷ୍ଠୀରେ ଯୁଗଳ ଦର୍ଶନ ଦିଅନ୍ତି ଦେବ ଦମ୍ପତ୍ତି ଯାହାକୁ ଶୀତଳ ଷଷ୍ଠୀ ଭାବରେ ମହା ସମାରୋହରେ ପାଳନ କରନ୍ତି ଲୋକେ । ସେହି ପରିପ୍ରେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି, ପଦ୍ମପୁର ତରଫରୁ ମଧ୍ୟ ପଦ୍ମପୁର କଣ୍ଟାବନ୍ଧ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କର ବିବାହ ଏବଂ ଶୀତଳ ଷଷ୍ଠୀ ଉତ୍ସବ ଆୟୋଜିତ ହୋଇଥିଲା । ରୀତିନୀତି ଅନୁଯାୟୀ କମିଟି ପକ୍ଷରୁ ପ୍ରଥମେ ସପ୍ତ ଋଷି ଏବଂ ନବଗ୍ରହ ଦେବତାଙ୍କ ଆବହନରେ ପତ୍ରପେଣ୍ଡି ଉତ୍ସବ ସମାପନ ସହ ମା’ ଙ୍କର ଅଳଙ୍କାର ଧାରଣ ଉତ୍ସବ ପାଳନ କରାଯାଇଥିଲା । ସେହିପରି ମାନବୀୟ ପରମ୍ପରା ଓ ବୈଦିକ ରୀତିରେ ଉଭୟ ଶିବଶକ୍ତିଙ୍କର ପବିତ୍ର ପୂଜ୍ୟ ଏହି ବିବାହର ନୀତି ଅନୁଯାୟୀ ହରିଦ୍ର ଲେପନ ଉତ୍ସବ କରାଯାଇଥିଲା । ଯେଉଁଥିରେ କି ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗଦେଇ ନିଜର ପ୍ରଭୁଙ୍କୁ ସ୍ନେହ ହଳଦୀରେ ଅଭିଷେକ କରିଥିଲେ । ଏହାପରେ ରୁଦ୍ରାଭିଷେକ ସମ୍ପର୍ଣ୍ଣ ସହ ଭବ୍ୟ ଶୋଭାଯାତ୍ରାରେ ପଞ୍ଚବାଦ୍ୟ, ଦୁଲ୍‌ଦୁଲି, ସଙ୍କୀର୍ତ୍ତନ ସହ ଘଣ୍ଟ, ଶଙ୍ଖ, ଡମ୍ବରୁ ସହ ବୈଦିକ ମନ୍ତ୍ରରେ ସାରା ନଗର ପ୍ରକମ୍ପିତ ହୋଇ ଉଠିଥିଲା । ଭବ୍ୟ ପଟୁଆରରେ ଦେବାଧି ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କର ବରଯାତ୍ରୀ ଭକ୍ତଙ୍କ ଭିଡରେ ମାତା ଜଗତ ଜନନୀ ପାର୍ବତୀଙ୍କ ପିତାମାତା ଘରେ ପହଞ୍ଚିବା ସହ ମହାସମାରୋହରେ ଦେବ ଦମ୍ପତ୍ତିଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଏହି ପବିତ୍ର ବିବାହ ଉତ୍ସବର ସାକ୍ଷ୍ୟ ରହିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ଭିଡ଼ ଜମିଥିଲା । ତେବେ ଆସନ୍ତା ବୁଧବାର ଦିନ ସନ୍ଧ୍ୟାରେ ଉଭୟ ଶିବଶକ୍ତିଙ୍କ ଯୁଗଳ ମୂର୍ତ୍ତି ଷଷ୍ଠୀ ଉତ୍ସବର ଭବ୍ୟ ଶୋଭାଯାତ୍ରାରେ କନ୍ୟା ମାତାପିତାଙ୍କ ଘରୁ ବାହାରି ନଗର ପରିକ୍ରମା କରିବା ସହ ପୁନଃ ମନ୍ଦିରରେ ପ୍ରବେଶ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସୁରଖୁରରେ ଏବଂ ବୈଦିକ ପରମ୍ପରା ଗତ ନୀତିରେ ଉତ୍ସବ ସମ୍ପନ୍ନରେ ସହଯୋଗ ତଥା ସମ୍ମିଳିତ ହେବା ପାଇଁ ସମଗ୍ର ପଦ୍ମପୁରବାସୀ ଏବଂ ଭକ୍ତଙ୍କୁ କମିଟି ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

Leave A Reply

Your email address will not be published.