ନୃଶଂସ ସ୍ୱାମୀର ବର୍ବରକାଣ୍ଡ

ସୋନପୁର : ନୃଶଂସ ସ୍ୱାମୀର ବର୍ବର କାଣ୍ଡ । ନିଜ ସ୍ତ୍ରୀକୁ ପିଟି ପିଟି କଲା ହତ୍ୟା । ହତ୍ୟା ପରେ ଡାକ୍ତରଖାନାରେ ମୃତଦେହ ରଖି ଫେରାର ମାରିଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁର ଗଣପତି ପଧାନ ବରପଦର ଗାଁର ରେଞ୍ଚା ପ୍ରଧାନଙ୍କ ଝିଅ ମିତା ପଧାନଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ତିନି ବର୍ଷର ଏକ ଝିଅ ମଧ୍ୟ ଅଛି । ତେବେ ଆଜି ସକାଳୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଗଣପତି ମିତାକୁ ନିର୍ଦ୍ଧୁମ ପିଟିଥିଲେ । ସେ ଅଚେତ୍ ହୋଇ ପଡିଯିବାରୁ ତାଙ୍କୁ ବୀରମହାରାଜପୁର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମରି ଯାଇଥିବା ଜାଣି ଡ଼ାକ୍ତରଖାନା ବାରଣ୍ଡାରେ ସ୍ତ୍ରୀର ମୃତଦେହ ଛାଡି ଫେରାର ମାରିଥିଲେ ଗଣପତି । ଏନେଇ ବାହାରୁ ଖବର ପାଇ ମିତାଙ୍କ ଭାଇମାନେ ଡାକ୍ତରଖାନାରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ଡ଼ାକ୍ତରଖାନାରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ସେପଟେ ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

Leave A Reply

Your email address will not be published.