
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପବିତ୍ର ଅକ୍ଷୟ ତୃତୀୟାରେ ଅଘଟଣ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତ ଦେଜୁରୀ ଗ୍ରାମ ମହୁଲପଡ଼ାର ଅନିରୁଦ୍ଧ ରତେଇଙ୍କ ଗୋଟିଏ ବଳଦର ବଜ୍ରପାତରେ ଶୋଚନୀୟ ମୃତ୍ୟୁ ଘଟିଛି । ବୁଧବାର ପୂର୍ବାହ୍ନରେ ବ୍ଲକ ଅଂଚଳରେ କାଳ ବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହୋଇଥିଲା । ଏହି ସମୟରେ ବଜ୍ରପାତ ହେବାରୁ କ୍ଷେତରେ ଚରୁଥିବା ଚାଷୀ ଅନିରୁଦ୍ଧଙ୍କ ଏକ ବଳଦର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଚାଷୀ ଅନିରୁଦ୍ଧ ଏ ବିଷୟରେ ରାଜସ୍ୱ ବିଭାଗ ଓ ପଶୁ ଡାକ୍ତରଙ୍କୁ ଅବଗତ କରିଥିଲେ । ଆର୍ଆଇ ପହଞ୍ଚି ତଦନ୍ତ କରିଥିବା ବେଳେ ପଶୁ ଡାକ୍ତର ମଧ୍ୟ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ । ଆଗାମୀ ବର୍ଷା ଋତୁ ଆରମ୍ଭ ପୂର୍ବରୁ ବଳଦର ଅସମୟ ମୃତ୍ୟୁରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଣୁ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଥିଲେ । ଏ ସମ୍ପର୍କରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କୁ ପଚାରିବାରୁ ଆର୍ଆଇଙ୍କ ରିପୋର୍ଟ ତଥା ପଶୁ ଡାକ୍ତରଙ୍କ ଦ୍ଵାରା ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଭିତ୍ତି କରି ଚାଷୀଙ୍କୁ ଧାର୍ଯ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।