ଜୋହାନ୍ସବର୍ଗରେ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍ଏ) ନେତାମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍ଏ) ନେତାମାନଙ୍କ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ବୈଠକ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଦା ସିଲଭା ଏଥିରେ ଯୋଗ ଦେଇଥିଲେ । ଏହି ବୈଠକକୁ ସମୟୋଚିତ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହା ଆଫ୍ରିକା ମାଟିରେ ପ୍ରଥମ ଜି-୨୦ ଶିଖର ସମ୍ମିଳନୀ ସହିତ ହୋଇଛି ଏବଂ ଗ୍ଲୋବାଲ ସାଉଥ ଦେଶମାନଙ୍କ ଦ୍ୱାରା ଲଗାତାର ଚାରୋଟି ଜି-୨୦ ଅଧ୍ୟକ୍ଷତାର ସମାପନକୁ ଚିହ୍ନିତ କରୁଛି, ଯାହା ମଧ୍ୟରୁ ଶେଷ ତିନୋଟି ଆଇବିଏସ୍ଏ ସଦସ୍ୟ ଦେଶଙ୍କ ଦ୍ୱାରା ହୋଇଥିଲା । ଏହାର ପରିଣାମସ୍ୱରୂପ ମାନବ-କୈନ୍ଦ୍ରିକ ବିକାଶ, ବହୁପାକ୍ଷିକ ସଂସ୍କାର ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ କେନ୍ଦ୍ରିତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଆଇବିଏସ୍ଏ କେବଳ ତିନୋଟି ଦେଶର ଏକ ଗୋଷ୍ଠୀ ନୁହେଁ ବରଂ ତିନୋଟି ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ତିନୋଟି ପ୍ରମୁଖ ଅର୍ଥନୀତିକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ବିଶ୍ୱ ଶାସନ ପ୍ରତିଷ୍ଠାନଗୁଡିକ ୨୧ ଶତାବ୍ଦୀର ବାସ୍ତବତାଠାରୁ ବହୁ ଦୂରରେ ଅଛନ୍ତି । ସେ ଆଇବିଏସ୍ଏକୁ ଦୃଢ଼ ବାର୍ତ୍ତା ଦେବାକୁ ଆହ୍ୱାନ କରିଥିଲେ ଯେ, ବିଶ୍ୱସ୍ତରୀୟ ଶାସନ ପ୍ରତିଷ୍ଠାନ, ବିଶେଷକରି ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଏବେ ଏକ ବିକଳ୍ପ ନୁହେଁ ବରଂ ଜରୁରୀ । ଆତଙ୍କବାଦ ବିରୋଧୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଘନିଷ୍ଠ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବା ସମୟରେ ଦ୍ୱୈତ ମାନଦଣ୍ଡ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ ବୋଲି କହିଥିଲେ । ମାନବ-କୈନ୍ଦ୍ରିକ ବିକାଶ ସୁନିଶ୍ଚିତ କରିବାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ତିନି ଦେଶ ମଧ୍ୟରେ ୟୁପିଆଇ ଭଳି ଡିଜିଟାଲ ସର୍ବସାଧାରଣ ଭିତ୍ତିଭୂମି, କୋୱିନ ଭଳି ସ୍ୱାସ୍ଥ୍ୟ ପ୍ଲାଟଫର୍ମ, ସାଇବର ସୁରକ୍ଷା ଫ୍ରେମୱାର୍କ ଏବଂ ମହିଳା-ନେତୃତ୍ୱାଧୀନ ପ୍ରଯୁକ୍ତିବିଦ୍ୟା ପଦକ୍ଷେପର ଅଂଶୀଦାରକୁ ସହଜ କରିବା ପାଇଁ ଏକ ‘ଆଇବିଏସ୍ଏ ଡିଜିଟାଲ ନବାଚାର ସଂଘ’ ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ନିରାପଦ, ବିଶ୍ୱସ୍ତ ଏବଂ ମାନବ-କୈନ୍ଦ୍ରିକ ଏଆଇ ମାନଦଣ୍ଡ ବିକାଶରେ ଆଇବିଏସଏର ଯୋଗଦାନ ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଆଇବିଏସ୍ଏ ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଇବିଏସଏ ପରସ୍ପରର ବିକାଶର ପରିପୂରକ ହୋଇପାରିବ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଉଦାହରଣ ହୋଇପାରିବ । ସେ ବାଜରା, ପ୍ରାକୃତିକ କୃଷି, ବିପର୍ଯ୍ୟୟ ସ୍ଥିରତା, ସବୁଜ ଶକ୍ତି, ପାରମ୍ପରିକ ଔଷଧ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଭଳି କ୍ଷେତ୍ରରେ ସହଯୋଗର ସୁଯୋଗ ଉପରେ ଆଲୋକପାତ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଏବଂ ସୌର ଶକ୍ତି ଭଳି କ୍ଷେତ୍ରରେ ୪୦ଟି ଦେଶରେ ପ୍ରକଳ୍ପଗୁଡିକୁ ସମର୍ଥନ କରିବାରେ ଆଇବିଏସଏ ପାଣ୍ଠିର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ । ସେ ଦକ୍ଷିଣ-ଦକ୍ଷିଣ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଜଳବାୟୁ ଅନୁକୂଳ କୃଷି ପାଇଁ ଆଇବିଏସଏ ପାଣ୍ଠି ନିମନ୍ତେ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.