ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ ଅସହାୟ ପ୍ରବାସୀ ଶ୍ରମିକ ସମସ୍ୟା ରୋକିବା ସମ୍ପର୍କିତ ତିନୋଟି ବ୍ଲକର ବିଭିନ୍ନ ବିଭାଗର ଏକ ସମନ୍ଵୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କାରଣରୁ ଅସହାୟ ଅବସ୍ଥାରେ ଦେଶାନ୍ତର ଦାଦନ ଶ୍ରମିକ ଯାଉଥିବା ଲୋକଙ୍କୁ ଏଥିରୁ ନିବୃତ୍ତ କରି ସେମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ସହ ଥଇଥାନ କରିବା ଉପରେ ବୈଠକରେ ବିଶେଷ ଭାବେ ଗୁରୁତ୍ଵ ଆରୋପ କରାଯାଇଥିଲା । ଏହି ସମସ୍ୟାକୁ ରୋକିବା ପାଇଁ ହେଲେ ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରଖିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀସେନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁରିବାହାଲ ବ୍ଲକ ବିଡ଼ିଓ ବାସନ୍ତୀ ସେଠୀ, ବଙ୍ଗୋମୁଣ୍ଡା ବ୍ଲକ ଭାରପ୍ରାପ୍ତ ବିଡ଼ିଓ ପୁର୍ଣ୍ଣାନନ୍ଦ ପଟେଲ ଓ ଟିଟିଲାଗଡ ବ୍ଲକ ବିଡ଼ିଓ ଚନ୍ଦ୍ରମଣି ନାଗ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ତିନୋଟି ବ୍ଲକର ଏଇଇ, ଜିପିଡ଼ିଓ, ଏପିଓ, ବିପିଏମଙ୍କ ସହ ଲାଇନ ବିଭାଗର ସିଡିପିଓ, ବିଇଓ, ଏଏଚଓ, ରେଞ୍ଜର, ବିଏଓ, ଏଏଲଓ, ଓଏଲଆଇସି, ୱାଟରସେଡ, ଭେଟନାରୀ, ମତ୍ସ୍ୟ ବିଭାଗ, ବିଏସଏସଓଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରମୁଖ ଯୋଗଦେଇଥିଲେ । ମୁରିବାହାଲ ବ୍ଲକ ଏଇଇ ଅବିନାଶ ମୁଦି ଧନ୍ୟବାଦ ଦେଇଥିଲେ ।