ଜିଲ୍ଲାସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ

  • ମଇ ମାସ ୨୬ ତାରିଖରୁ ରବି ଧାନ କ୍ରୟ ଆରମ୍ଭ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ଲୋକସଭା ସାଂସଦଙ୍କ ପ୍ରତିନିଧି ମାଧବ କୁମାର ସାଏ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ରଥ, ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସ୍ମାରକ ରଞ୍ଜନ ମିଶ୍ର, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପ୍ରଧାନ, ସାଧାରଣ ସମ୍ପାଦକ ସୌମେନ୍ଦ୍ର କୁମାର ପରିଚ୍ଛା, ବଲାଙ୍ଗିର ଉପ ଜିଲ୍ଲାପାଳ କୁମାର ନାଗଭୂଷଣ, ପାଟଣାଗଡ ଉପ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀଙ୍କ ସମେତ ଯୋଗାଣ ବିଭାଗ, ସମବାୟ ବିଭାଗ, କୃଷି ବିଭାଗ, ଜଳସେଚନ ବିଭାଗ, ନିୟନ୍ତ୍ରିତ ବଜାର କମିଟିର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ସମସ୍ତଙ୍କୁ ସ୍ଵାଗତ କରିବା ସହ ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ପ୍ରକ୍ରିୟା ଓ ଏ ସମ୍ପର୍କରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୨୬ ତାରିଖ ଠାରୁ ରବି ଧାନ କ୍ରୟ ଆରମ୍ଭ ହେବ ।ଏଥି ନିମନ୍ତେ ୧୦୩ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୦ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ସମୁଦାୟ ୧୧୩ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ରବି ଧାନ କ୍ରୟ କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୭ ଘଣ୍ଟା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଧାନ କ୍ରୟ କରାଯିବ । ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୭୮୨୧ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ରବି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ରେଡ ଏ ଧାନ ନିମନ୍ତେ କ୍ଵିଣ୍ଟାଲ ପ୍ରତି ୨୦୬୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଗ୍ରୀଷ୍ମ ପ୍ରବାହ ତଥା ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟ କେନ୍ଦ୍ର ଗୁଡିକରେ ଆନୁସାଙ୍ଗିକ ବ୍ୟବସ୍ଥା କରିବା ସହ ପାନୀୟ ଜଳ, ବିଜୁଳି, ଟାରପୋଲିନ ଓ ଚାଷୀମାନଙ୍କ ନିମନ୍ତେ ଆଶ୍ରୟ ସ୍ଥଳୀ ପ୍ରତି ବିଶେଷ ଗୁରୁତ୍ଵ ଦେବା ସହ ଚାଷୀମାନେ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧା ଓ ସ୍ଵଚ୍ଛତାରେ କରିପାରିବେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରବିଧାନ କ୍ରୟ ପ୍ରକ୍ରିୟାର ସମସ୍ତ ସୂଚନା ଯେପରି ଚାଷୀମାନେ ପାଇପାରିବେ ସେ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ ଧାନ କ୍ରୟ କେନ୍ଦ୍ର ଗୁଡିକରେ ସିସିଟିଭିର ସଂଯୋଗ ସହ ଏହାର ଉପଯୁକ୍ତ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା, କୋଭିଡ ଉଚିତ ବ୍ୟବହାରର ଅନୁପାଳନ କରିବା, ଧାନ କ୍ରୟ କେନ୍ଦ୍ର ଗୁଡିକରେ ଧାନ ପହଞ୍ଚିବା ରେଜିଷ୍ଟର ଉପଲବ୍ଧ କରିବା ଏବଂ ଫ୍ଲାଇଙ୍ଗ ସ୍କ୍ୱାଡ଼ ଗଠନ କରି ନିୟମିତ ତଦାରଖ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ଶେଷରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.