
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ରେଳ ଉପଭୋକ୍ତ ସଂଘର କାର୍ଯ୍ୟାଳୟ ଠାରେ ମାଲପଡା ନାଗରିକ କମିଟିର ଏକ ସାଧାରଣ ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସଂପାଦକ ପଂଚାନନ ସେଠ ଗତ ମାସର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ତୁହାକୁତୁହା ଅଘୋଷିତ ବିଦ୍ୟୁତ କାଟ, ପାନୀୟ ଜଳ ଯୋଗାଣ ନିର୍ଦ୍ଦିଷ୍ଟ ସମୟରେ ଯୋଗାଉ ନ ଥିବାରୁ, ମଶାର ପ୍ରାଦ୍ୟୁଭାବ ଆଦି ବିଭିନ୍ନ ସମସ୍ୟା ଉପରେ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । କମିଟି ପାଇଁ ଏକ ସଭାଗୃହ ଯୋଗାଇ ଦେବା ଉପରେ ସଭାପତି ସ୍ଥାନୀୟ କାଉନସିଲରଙ୍କ ଜରିଆରେ ମ୍ୟୁନିସିପାଲିଟିକୁ ଅନୁରୋଧ କରିବାକୁ କହିଥିଲେ । ଅନ୍ୟାନ୍ୟ ସମସ୍ୟା ଉପରେ ଭବାନୀ ଶଙ୍କର ଶତପଥି, ପ୍ରଫେସର ତରୁଣ କୁମାର ମିଶ୍ର, ଦିବାକର ହୋତା, ବାସୁଦେବ ନାଗ ପ୍ରମୁଖ ନିଜ ନିଜର ମତ ପ୍ରଦାନ କରିଥିଲେ । ଏହି ସଭାରେ ସହ-ସଂପାଦକ ଅଶୋକ କୁମାର ନନ୍ଦ, ନିମାଇଁ ଚରଣ ଦାଶ, ସାମ୍ବାଦିକ ଆକୁଳ ବେହେରା, ଦେବଜ୍ୟୋତି ଯୋଷୀ, ଦୟାସାଗର ବଗର୍ତ୍ତି, ଛବିଲାଲ ବେହେରା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଆକୁଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।