ସରକାର ଭୁଲିଗଲେ, ପୁଷପୁନିରେ ଛୁଟି ନଥିବାରୁ ତୀବ୍ର ଅସନ୍ତୋଷ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଂଚଳରେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ପୁଷପୁନି ଶୁକ୍ରବାର ପାଳିତ ହୋଇଯାଇଛି । ପୁଷପୁନି ପର୍ବରେ ସରକାରୀ ଛୁଟି ନଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା । ଫଳରେ ଏହି ଉତ୍ସବରେ ଜନସାଧାରଣ ସାମିଲ ହେବାରୁ ବଂଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ପୌଷ ପୂର୍ଣ୍ଣିମା ଏକ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୋଇଥାଏ । ବର୍ଷର ପ୍ରଥମ ପର୍ବ ନୂଆଁଖାଇ ହୋଇଥିବା ବେଳେ ପୁଷପୁନି ଶେଷ ପର୍ବ ବୋଲି କୁହାଯାଏ । ପୌଷ ମାସରେ କୃଷକ ତାର ଶସ୍ୟ ଅମଳ କରିବା ସହିତ ଫସଲକୁ କାଟି ଖଳାରେ ମଡାଇ ଘରକୁ ନେଇଥାଏ । ଧାନ, ଚାଉଳ, ମାଣ୍ଡିଆ, ମୁଗ, ବିରି, କୋଳଥ, କାନ୍ଦୁଳ ଆଦି ଶସ୍ୟ ଅମଳ ହୋଇଥାଏ । ଏହି ଦିନ ଘରେ ଘରେ ପିଠାପଣା କରାଯାଇ ଭୋଜିଭାତର ଆୟୋଜନ ହୋଇଥାଏ । ପୁଷପୁନି ଦିନ ସକାଳୁ ସକାଳୁ ଛୋଟ ଛୋଟ ପୁଅ, ଝିଅ ଏବଂ ବୁଢାବୁଢୀମାନେ ହାତରେ ଥଳି, ଅଖାମୁଣା, ବାଉଁଶ ତିଆରି ଭୁଗା, ଟୋପା, ଚାଙ୍ଗୁଡି ଧରି ଘର ଘର ବୁଲି ଛେର୍‌ ଛେରା ମାଗିଥାନ୍ତି । ଛେର୍‌ ଛେର୍‌ଛେରା ଇ ଘର ବୁଢି କେନ୍‌ କେ ଗଲା, ମଡା ପିଠା ଖାଇ ଛେରେଇ ହେଲା ଛେର୍‌ ଛେର୍‌ଛେରାରେ ଗାଁ ଦାଣ୍ଡ ଦୁଲୁକି ପଡିଥାଏ । ଏହା ମୁଖ୍ୟତଃ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଚାଷୀ ମୂଳିଆ ସହିତ ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କ ସହିତ ଛୁଆଠାରୁ ବୁଢା ଯାଏ ଏଥିରେ ସାମିଲ ହୋଇ ଉତ୍ସବ ମନାଇ ଥାନ୍ତି । ମାତ୍ର ସରକାରୀ ଛୁଟି ନଥିବାରୁ ଏହି ପର୍ବ ଫିକା ପଡିଥିବା ଦେଖିବାକୁ ମିଳିଥିଲା । ଅଧିକାଂଶ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ବିଶେଷ ସେମାନଙ୍କ ଘରକୁ ଆସିପାରିନଥିଲେ । ସେହିପରି ମହିଳା କର୍ମଚାରୀମାନେ ଶିକ୍ଷାନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ହେତୁ ଘରେ ପିଠାପଣା ହୋଇପାରିନଥିବା ଅଭିଯୋଗ ହୋଇଛି । ଏହି ପୌଷ ପୂର୍ଣ୍ଣିମା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବଡ ପର୍ବ ଅଟେ । ପୌଷ ପୂର୍ଣ୍ଣିମା ଦିନ ମହାପ୍ରଭୁ ଜଗନ୍ନାଥଙ୍କର ଅଭିଷେକ କରାଯିବା ସହିତ ଏହାକୁ ଦେବାଭିଷେକ ବା ପୁଷ୍ୟାଭିଷେକ ପୂର୍ଣ୍ଣିମା କୁହାଯାଏ । ଏହି ଦିନଟିକୁ ସରକାରୀ ଛୁଟି ଘୋଷଣା କରିବାକୁ ଦୀର୍ଘଦିନ ଧରି ପଶ୍ଚିମ ଓଡିଶାବାସୀଙ୍କ ପକ୍ଷରୁ ଦାବୀ ହୋଇ ଆସୁଅଛି । ଗତ କିଛିବର୍ଷ ପୂର୍ବେ ଜନସାଧାରଣଙ୍କ ଦାବୀକୁ ସମ୍ମାନ ଜଣାଇ ସରକାରଙ୍କ ପକ୍ଷରୁ ଏହାକୁ ଲୋକାଲ ହଲିଡେ ଭାବେ ଘୋଷଣା କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହା କ୍ୟାଲେଣ୍ଡରରେ ସ୍ଥାନ ପାଇନଥିବାରୁ ଏହି ଦିନ ଛୁଟି ଘୋଷଣା ହୋଇପାରିନାହିଁ । ସରକାରଙ୍କର ଏହି ଦୂରଦୃଷ୍ଟି ବିହୀନ ପଦକ୍ଷେପକୁ ଖପ୍ରାଖୋଲ ବ୍ଲକ ଅଂଚଳର ବହୁ ଶିକ୍ଷିତ, ବୁଦ୍ଧିଜୀବୀ ତଥା ନେତୃ ସ୍ଥାନୀୟ ବ୍ୟକ୍ତି ସମାଲୋଚନା କରିଛନ୍ତି । ସରକାର କାଳ ବିଳମ୍ବ ନକରି ତୁରନ୍ତ ପୁଷପୁନିକୁ ସରକାରୀ ଛୁଟି ଘୋଷଣା କରିବାକୁ ଜନସାଧାରଣ ପକ୍ଷରୁ ଦାବୀ ହୋଇଛି ।

Leave A Reply

Your email address will not be published.

error: Content is protected !!