
- ୧୧୦୦୦ରୁ ଅଧିକ ସଂଗଠନଙ୍କ ପଞ୍ଜୀକରଣ ସହ ରାଜସ୍ଥାନ ଆଗୁଆ
- ଦେଶବ୍ୟାପୀ ଉତ୍ସାହ : ବିଭିନ୍ନ ପ୍ରତିଷ୍ଠାନ, କର୍ପୋରେଟ୍ ଏବଂ ସମ୍ପ୍ରଦାୟ ହାତ ମିଳାଇଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ୨୧ ଜୁନ୍ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (ଯୋଗ ସଙ୍ଗମ) କାର୍ଯ୍ୟକ୍ରମ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ୨୧ ଜୁନ୍ ୨୦୨୫ରେ ସକାଳ ୬.୩୦ରୁ ୭.୪୫ ପର୍ଯ୍ୟନ୍ତ ଯୋଗ ସଙ୍ଗମ ଆୟୋଜନ କରିବା ପାଇଁ ଦେଶବ୍ୟାପୀ ୫୦,୦୦୦ରୁ ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି, ଯାହା ଗଣ ଅଂଶଗ୍ରହଣ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ଭାରତର ନେତୃତ୍ୱର ଏହା ଏକ ବଡ଼ ପ୍ରମାଣ । ଯୋଗ ସଙ୍ଗମ ୨୦୨୫ ପାଇଁ ପଞ୍ଜୀକରଣ କ୍ଷେତ୍ରରେ ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ଆଗୁଆ ରହିଛି, ଯେଉଁଠାରେ ୧୧୦୦୦ରୁ ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି । ସେହିପରି ପ୍ରାୟ ୭୦୦୦ ପଞ୍ଜୀକରଣ ସହ ତେଲେଙ୍ଗାନା ଦ୍ୱିତୀୟ ଓ ୫,୦୦୦ ପଞ୍ଜୀକରଣ ସହିତ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ଅଛି । ଏହି ବର୍ଷର ଥିମ୍ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ବିଶ୍ୱ ଏକତା ଏବଂ କଲ୍ୟାଣ ପାଇଁ ସାର୍ବଜନୀନ ଆହ୍ୱାନକୁ ପ୍ରତିଫଳିତ କରେ । ଏଥିପାଇଁ ଆଇଆଇଟି, ଆଇଆଇଏମ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ପ୍ରମୁଖ ପ୍ରତିଷ୍ଠାନ, ଅନେକ କର୍ପୋରେଟ୍ ଏବଂ ଘରୋଇ ସଂସ୍ଥାମାନେ ସକ୍ରିୟ ଭାବରେ ପଞ୍ଜୀକରଣ କରୁଛନ୍ତି ଏବଂ ବିଶ୍ୱ ସୁସ୍ଥତା ପ୍ରତି ସେମାନଙ୍କର ଅଙ୍ଗୀକାର ପ୍ରଦର୍ଶନ କରୁଛନ୍ତି । ଚଳିତ ବର୍ଷର ସମାରୋହ ପୂର୍ବ ସଂସ୍କରଣଗୁଡ଼ିକର ସଫଳ ବିକେନ୍ଦ୍ରୀକରଣ ମଡେଲ ଉପରେ ଆୟୋଜନ କରାଯାଉଛି ଓ ଆୟୁଷ ମନ୍ତ୍ରଣାଳୟ ଯୋଗ ସଙ୍ଗମ ପୋର୍ଟାଲ୍ Yoga.ayush.gov.in/yoga-sangamମାଧ୍ୟମରେ ଜନସାଧାରଣଙ୍କ ଅଂଶଗ୍ରହଣ ବୃଦ୍ଧି କରୁଛି ।
ଯୋଗ ସଙ୍ଗମରେ କିପରି ଅଂଶଗ୍ରହଣ କରିବେ :
୧. https://yoga.ayush.gov.in/yoga-sangam ସାଇଟ ପରିଦର୍ଶନ କରନ୍ତୁ
୨. ଆପଣଙ୍କର ଗ୍ରୁପ କିମ୍ବା ସଂଗଠନର ପଞ୍ଜୀକରଣ କରନ୍ତୁ
୩. ୨୧ ଜୁନ୍ ୨୦୨୫ ସକାଳ ୬.୩୦ରୁ ସକାଳ ୭.୪୫ ପର୍ଯ୍ୟନ୍ତ ଏକ ଯୋଗ ଶିବିର ଆୟୋଜନ କରନ୍ତୁ
୪. ପ୍ରଶଂସାପତ୍ର ପାଇବା ପାଇଁ କାର୍ଯ୍ୟକ୍ରମ ପରେ ଅଂଶଗ୍ରହଣ ବିବରଣୀ ଅପଲୋଡ୍ କରନ୍ତୁ
ପ୍ରାୟ ୧ ଲକ୍ଷ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାର ସମ୍ଭାବନା ଥିବାବେଳେ ଭାରତର ଏହି କାଳଜୟୀ ପ୍ରଜ୍ଞାର ଏହି ବିଶ୍ୱବ୍ୟାପୀ ଉତ୍ସବରେ ଏକାଠି ହେବାକୁ ଆୟୁଷ ମନ୍ତ୍ରଣାଳୟ ନାଗରିକମାନଙ୍କୁ ନିମନ୍ତ୍ରଣ କରୁଛି । ଏକ ସ୍ୱାସ୍ଥ୍ୟକର ଓ ସୁନ୍ଦର ବିଶ୍ୱ ଗଠନ ପାଇଁ ଆସନ୍ତୁ ଏକାଠି ଆଗକୁ ବଢିବା ଓ ସମୃଦ୍ଧ ହେବା ।