
ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡା ସୁନାମୁହିଁ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଏକ ଆମ୍ବ ଆକୃତିର ଭେଣ୍ଡିଂଜୋନ ନିର୍ମାଣ କରାଯାଇଥିଲା । ଉକ୍ତ ଭେଣ୍ଡିଂଜୋନ ନିର୍ମାଣ ବାବଦରେ ଏନ୍ଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ୨୮ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି । ଇତିମଧ୍ୟରେ ଭେଣ୍ଡିଂଜୋନ ନିର୍ମାଣ ହେବାର ୨ବର୍ଷ ବିତିଜାଇଥିଲେ ମଧ୍ୟ ଏହା କର୍ଯ୍ୟରେ ଆସୁନଥିବା ନଜରକୁ ଆସିଛି । ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ଓ ରାସ୍ତାପାଖର ଉଠାଦୋକାନୀଙ୍କ ସୁବିଧା ତଥା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀ ସମ୍ମୁଖରେ ଆମ୍ବ ଆକୃତିର ଏହି ଭେଣ୍ଡିଂଜୋନ ନିର୍ମାଣ କରାଯାଇଥିଲା । ପ୍ରଥମେ ସେଠାରେ ୬ଟି ଆମ୍ବ ଆକୃତିର ଫାଇଭରରେ ତିଆରୀ ଦୋକାନ ଘର ନିର୍ମାଣ କରାଯାଇଥିବା ବେଳେ ପ୍ରତ୍ୟେକ ଦୋକାନ ସମ୍ମୁଖରେ ୪ଟି ଲେଖାଁଏ ସମୁଦାୟ ୨୪ଟି ଆମ୍ବ ଆକୃତିର ଚୌକି ମଧ୍ୟ ନିର୍ମାଣ କରାଯାଇଥିଲା । ୨୦୨୩ ଏପ୍ରିଲରେ ଏହି ଭେଣ୍ଡିଂଜୋନ ନିର୍ମାଣ ନିମନ୍ତେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୬ମାସ ତଳେ ଭେଣ୍ଡିଂଜୋନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଅଦ୍ୟାବଧି ସେଠାରେ ପାନୀୟ ଜଳ ସୁବିଧା ନଥିବାବଳେ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ବାକିରହିଥିବା ଜଣାପଡିଛି । ଜନବସତିଠାରୁ ଅନତି ଦୂରରେ ଥିବା ଏହି ଭେଣ୍ଡିଂଜୋନରେ ବ୍ୟବସାୟୀମାନେ ଦୋକାନ ଗୃହ ଗୁଡିକୁ ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ତେଣୁ ଉକ୍ତ ଭେଣ୍ଡିଂଜୋନର କାର୍ଯ୍ୟକାରିତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଏହି ଭେଣ୍ଡିଂଜୋନ କାର୍ଯ୍ୟକାରୀ ନହେବ ସରକାରୀ ଅନୁଦାନ ଅର୍ଥ ପାଣିରେ ପଡିବା ହିଁ ସାର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଥିପ୍ରତି ଖଣ୍ଡପଡ଼ା ଏନ୍ଏ୍ସି କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି ଜଣାଇଛନ୍ତି ।