
ଆଠଗଡ଼ : ଝାଡ଼ାବାନ୍ତି ନେଲା ଜୀବନ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ଗାଁରେ ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ଶାନ୍ତିଲତା ନାଏକ (୫୫ ବର୍ଷ) ବୋଲି ଜଣାପଡ଼ିଛି । ସେହିପରି ତାଙ୍କ ପରିବାରର ଦେବସ୍ମିତା ନାଏକ (୨୭ବର୍ଷ), ବିଶ୍ୱଜିତ ନାଏକ (୧୨ ବର୍ଷ), ଅଭିଜିତ ନାଏକ (୮ ବର୍ଷ) ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମାରେ ଶାନ୍ତି ଲତାଙ୍କ ଭାଇ ପୂର୍ବତନ ଗ୍ରାମରକ୍ଷୀ ସୁରସେନ ନାଏକଙ୍କ (୭୦ ବର୍ଷ) କିଡ଼ନୀ ରୋଗରେ ମୃତ୍ୟୁ ଘଟିଥିଲା । ଏହାର କିଛି ଦିନ ମଧ୍ୟରେ ହିଁ ଶାନ୍ତି ଲତା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ରବିବାର ଦିନ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଡିମିରିଆ ଗାଁରେ ଶୋକର ଛାୟା ଖେଳିଯାଇଛି । ସେହିପରି କଟକ ଜିଲ୍ଲା ବାଙ୍କୀ ଘୋଳପୁର ଗାଁରେ ଗତ କିଛି ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି । ଯେଉଁଥିରେ ୧୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ କଟକ ଜିଲ୍ଲା ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଏହାସହିତ ଗାଁ ଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିମ୍ ନିୟୋଜିତ ହୋଇଛନ୍ତି । ଆଗକୁ କିପରି ଝାଡ଼ାବାନ୍ତି ନବ୍ୟାପିବ, ସେଥିପାଇଁ ଆଗୁଆ ପ୍ରତିଶେଧକ ବ୍ୟବସ୍ଥା ସହ ବ୍ୟାପକ ସଚେତନତା କରାଯାଉଛି ।