ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ରାଜ୍ୟ ରାଜପଥ ପାର୍ଶ୍ଵରେ ସବୁଜ ସୁନ୍ଦର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବନ ବିଭାଗ ପକ୍ଷରୁ ଚାରା ରୋପଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଅନେକ ଗଛ ନଷ୍ଟ ହେବାରେ ଲାଗିଛି । ବିନା ସୂଚନା ଫଳକରେ ୧ କିମି ରାସ୍ତାରେ ୮ ଲକ୍ଷ ଟଙ୍କାର ଚାରା ରୋପଣ କରାଯାଇ ଥିବା ଜଣାପଡିଛି । ବନ ବିଭାଗର ଅଧିକାରୀମାନେ ଦୁର୍ନୀତି କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅଫିସ ତରଫରୁ ବଙ୍ଗୋମୁଣ୍ଡାରୁ ସିନ୍ଧେକେଲା ୪୨ ନମ୍ବର ରାଜ୍ୟ ରାଜପଥ ପର୍ଯ୍ୟନ୍ତ ବୃକ୍ଷ ରୋପଣ କରାଯାଇଛି । ଯାହାର ଅଟକଳ ପରିମାଣ ୮ ଲକ୍ଷ ୧୫ ହଜାର ୨୫୦ ଟଙ୍କା । ପ୍ରକୃତରେ ୧ କିଲୋମିଟର ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡା ଜୋର ଠାରୁ କନାବିରା ଗାଁ ପର୍ଯ୍ୟନ୍ତ ଏହି ବୃକ୍ଷ ରୋପଣ କରାଯାଇଛି । କୌଣସି ସୂଚନା ଫଳକ ନାହିଁ । ଏତେ ଗଛକୁ ଗୋଟିଏ ଜଗୁଆଳି ରଖାଯାଇଛି । ଏଥିରୁ ଅନୁମାନ କରାଯାଉଛି ଏହି କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଛି । ଏହିପରି ଆହୁରି ଅନେକ କାର୍ଯ୍ୟ ହୋଇଛି ଯାହାର ସୂଚନା ଦିଆଯାଉ ନାହିଁ । ସରକାର କୋଟି କୋଟି ଟଙ୍କା ବୃକ୍ଷ ରୋପଣରେ ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ପରି ଅସାଧୁ ଅଫିସରମାନେ ସରକାରୀ ଟଙ୍କାକୁ ଆତ୍ମସାତ କରି ନିଜେ ମାଳାମାଲ୍ ହେଉଥିବା ଅଭିଯୋଗ ହେଉଛି । ବଙ୍ଗୋମୁଣ୍ଡା ରେଞ୍ଜର ଜନାର୍ଦନ ଠାକୁର ଓ ଫରେଷ୍ଟର ଦିବସ ମାଝୀ ଚାରା ରୋପଣର ଦାୟିତ୍ୱ ନେଇଛନ୍ତି । ବୃକ୍ଷ ରୋପଣ କରାଯାଇଛି ସତ । କିନ୍ତୁ ବୃକ୍ଷ ରୋପଣର ଏକ ବର୍ଷ ପରେ ମଧ୍ୟ କାର୍ଯ୍ୟର ସୂଚନା ଫଳକ ଲଗାଯାଇ ନଥିବାରୁ ସନ୍ଦେହ ପ୍ରକାଶ ପାଇଛି । ବନ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଗଛ ନଷ୍ଟ ହୋଇଯାଇଛି । ବିଭିନ୍ନ ସମୟରେ ଗଛକୁ ପାଣି ଦେବା ସହ ଅନ୍ୟ ନିୟମ ରହିଥିଲେ ମଧ୍ୟ ପାଳନ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ୮ ଲକ୍ଷ ୧୫ ହଜାର ୨୫୦ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଥିଲା । ଅନେକ ସୂଚନା ମଗାଯାଇଥିଲା, ହେଲେ ତାହା ମିଳିନଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଏହି ଘଟଣାରେ ବନ ବିଭାଗର ଅଧିକାରୀମାନେ ଦୁର୍ନୀତି କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ବଙ୍ଗୋମୁଣ୍ଡା ଫରେଷ୍ଟ ଅଫିସକୁ ସୂଚନା ଅଧିକାର କର୍ମୀ ଥବିର ବାଗ ସୂଚନା ଅଧିକାର ଆଇନରେ ରିପୋର୍ଟ ମାଗିଥିଲେ । ୨୦୨୧-୨୦୨୨ ଓ ୨୦୨୨- ୨୩ରେ ହୋଇଥିବା କାର୍ଯ୍ୟର ସମ୍ପୂର୍ଣ୍ଣ ତାଲିକା କେଉଁ ଯୋଜନାରେ କି କି କାର୍ଯ୍ୟ ହୋଇଥିଲା ଓ ତାର ଅଟକଳ ପରିମାଣ କେତେ, ଦୀର୍ଘ ଏକ ମାସ ପରେ ସୂଚନା ଦେଇଥିଲେ । କିନ୍ତୁ ରିପୋର୍ଟରେ ଅଟକଳ ପରିମାଣ ଦେଲେ ନାହିଁ । କେବଳ ବଙ୍ଗୋମୁଣ୍ଡା ଠାରୁ ସିନ୍ଧେକେଲା ରାସ୍ତାର ଅଟକଳ ପରିମାଣ ୮୧୫୨୫୦ ଟଙ୍କା କେବଳ ଦିଆଯାଇଥିଲା । ଯାହା ୧ରୁ ୨ କିଲୋମିଟରକୁ ଏତେ ଟଙ୍କା ଖର୍ଚ୍ଚକୁ ଯେ କେହି ମଧ୍ୟ ସନ୍ଦେହ କରିବା ସ୍ଵାଭାବିକ । ପରେ ଉକ୍ତ ଅଫିସକୁ ପୁଣି ଥରେ ସୂଚନା ମଗାଯାଇଥିଲା ଅଫିସ୍ ମୀମୋ ନଂ. -୨୦ ତା.୨୭.୧.୨୦୨୩ରେ ଦେଇଥିବା ସୂଚନାର ହୋଇଥିବା କାର୍ଯ୍ୟର ଅଟକଳ ପରିମାଣ ଓ ଖର୍ଚ୍ଚର ବିବରଣୀ ପ୍ରଦାନ କରିବାକୁ । ପୁଣି ଆଗପରି ଦୀର୍ଘ ୧ ମାସ ବିତିଗଲା ପରେ ସୂଚନା ଅଧିକାରୀ ଏକ ଚିଠି ପଠାଇଛନ୍ତି । ଯାହାର ମୀମୋ ନଂ. – ୧୬୮ ତା.୧୩.୩.୨୦୨୩ ସେଥିରେ ସେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ବଙ୍ଗୋମୁଣ୍ଡା ରେଞ୍ଜର ଜନାର୍ଦନ ଠାକୁରଙ୍କ ପ୍ରତିକ୍ରିୟା ନେବାରୁ ପାଖା ପାଖି ୪ କି.ମି ରାସ୍ତାରେ ଗଛ ଲଗାଯାଇଛି ଓ ରକ୍ଷଣାବେକ୍ଷଣ କରାଯାଉଛି ବୋଲି କହିଥିଲେ । ତେବେ ସେ ସବୁ ଗଛ ଗଲା କୁଆଡେ଼ । ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଜନସାଧାରଣରେରେ ଚର୍ଚ୍ଚା ହେଉଛି । ବିଭାଗୀୟ ଅଧିକାରୀମାନେ କେବେ ତଦନ୍ତ କରିବେ ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।
Next Post