jayashree

ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

• ଆମ ସମ୍ବିଧାନ ହେଉଛି ଆମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରର ମଜବୁତ ଆଧାର
• କାର୍ଯ୍ୟପାଳିକା, ବିଧାନପାଳିକା ଓ ନ୍ୟାୟପାଳିକା ତଥା ସମସ୍ତ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣରୁ ଆମର ସାମ୍ବିଧାନିକ ଆଦର୍ଶକୁ ଶକ୍ତି ମିଳିଥାଏ
• ଆମର ପ୍ରତିଷ୍ଠାତା ଦସ୍ତାବିଜ ସମ୍ବିଧାନ ବିଷୟରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାରେ ସମ୍ବିଧାନ ଦିବସ ପାଳନ ସହାୟକ ହୋଇଛି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୬, ୨୦୨୪ ସଂସଦ ଭବନର ସେଣ୍ଟ୍ରାଲ ହଲରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ୭୫ ବର୍ଷ ପୂର୍ବେ ଆଜିର ଦିନରେ ‘ସମ୍ବିଧାନ ସଦନ’ର ଏହି ସେଣ୍ଟ୍ରାଲ ହଲ୍‌ରେ ସମ୍ବିଧାନ ସଭା ଏକ ନୂଆ ସ୍ୱାଧୀନ ଦେଶ ପାଇଁ ସମ୍ବିଧାନ ପ୍ରଣୟନର ବିଶାଳ କାର୍ଯ୍ୟ ସମ୍ପାଦନ କରିଥିଲା । ସେଦିନ ସମ୍ବିଧାନ ସଭା ମାଧ୍ୟମରେ ଆମେ ଭାରତର ଜନସାଧାରଣ ଏହି ସମ୍ବିଧାନକୁ ଗ୍ରହଣ କରିଥିଲୁ, ପ୍ରଣୟନ କରିଥିଲୁ ଏବଂ ନିଜକୁ ସମର୍ପିତ କରିଥିଲୁ । ରାଷ୍ଟ୍ରପତି କହିଛନ୍ତି, ଆମ ସମ୍ବିଧାନ ହେଉଛି ଆମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରର ମଜବୁତ ଆଧାର । ଆମ ସମ୍ବିଧାନ ଆମର ସାମୂହିକ ଏବଂ ବ୍ୟକ୍ତିଗତ ସମ୍ମାନକୁ ସୁନିଶ୍ଚିତ କରେ । ରାଷ୍ଟ୍ରପତି କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ନାଗରିକ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିଥିଲେ । ଆସନ୍ତା ବର୍ଷ ଜାନୁଆରୀ ୨୬ରେ ଆମେ ଆମ ସାଧାରଣତନ୍ତ୍ରର ୭୫ତମ ବାର୍ଷିକୀ ପାଳନ କରିବୁ । ଏଭଳି ଉତ୍ସବ ଆମକୁ ବର୍ତ୍ତମାନସୁଦ୍ଧା ଯାତ୍ରାର ସମୀକ୍ଷା କରିବା ଏବଂ ଆଗାମୀ ଯାତ୍ରା ପାଇଁ ଭଲ ଯୋଜନା କରିବାର ସୁଯୋଗ ପ୍ରଦାନ କରିଥାଏ । ଏଭଳି ଉତ୍ସବ ଆମର ଏକତାକୁ ସୁଦୃଢ଼ କରିବା ସହ ଜାତୀୟ ଲକ୍ଷ୍ୟ ହାସଲ ପାଇଁ ଆମେ ସମସ୍ତେ ଏକାଠି ବୋଲି ଦର୍ଶାଉଛି । ରାଷ୍ଟ୍ରପତି କହିଛନ୍ତି ଯେ ଗୋଟିଏ ଦୃଷ୍ଟିରୁ ଭାରତର ସମ୍ବିଧାନ ହେଉଛି ପ୍ରାୟ ତିନି ବର୍ଷର ବିଚାରବିମର୍ଶର ଫଳ । କିନ୍ତୁ ପ୍ରକୃତ ଅର୍ଥରେ ଏହା ଆମର ଦୀର୍ଘ ସ୍ୱାଧୀନତା ସଂଗ୍ରାମର ପରିଣାମ ଥିଲା । ସେହି ଅତୁଳନୀୟ ଜାତୀୟ ଆନ୍ଦୋଳନର ଆଦର୍ଶ ସମ୍ବିଧାନରେ ସ୍ଥାନ ପାଇଥିଲା । ସେହି ଆଦର୍ଶଗୁଡ଼ିକୁ ସମ୍ବିଧାନର ପ୍ରସ୍ତାବନାରେ ସଂକ୍ଷିପ୍ତ ଭାବରେ ଗ୍ରହଣ କରାଯାଇଛି । ସେଗୁଡ଼ିକ ହେଉଛି ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃଭାବ । ଅନେକ ଯୁଗରୁ ଏହି ଆଦର୍ଶ ଭାରତକୁ ଭିନ୍ନ ସଂଜ୍ଞା ଦେଇ ଆସିଛି । ସମ୍ବିଧାନର ପ୍ରସ୍ତାବନାରେ ଦର୍ଶାଯାଇଥିବା ଆଦର୍ଶ ପରସ୍ପରର ପରିପୂରକ । ସେଗୁଡ଼ିକ ମିଳିମିଶି ଏପରି ଏକ ପରିବେଶ ସୃଷ୍ଟି କରନ୍ତି ଯେଉଁଥିରେ ପ୍ରତ୍ୟେକ ନାଗରିକ ଉନ୍ନତି, ସମାଜରେ ଯୋଗଦାନ ଏବଂ ସାଥୀ ନାଗରିକମାନଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଆନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, କାର୍ଯ୍ୟପାଳିକା, ବିଧାନପାଳିକା ଏବଂ ନ୍ୟାୟପାଳିକା ତଥା ସମସ୍ତ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣରୁ ଆମର ସାମ୍ବିଧାନିକ ଆଦର୍ଶକୁ ଶକ୍ତି ମିଳିଥାଏ । ପ୍ରତ୍ୟେକ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ଆମ ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଭାରତର ଏକତା ଓ ଅଖଣ୍ଡତା ରକ୍ଷା, ସମାଜରେ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା, ମହିଳାଙ୍କ ସମ୍ମାନ ସୁନିଶ୍ଚିତ କରିବା, ପରିବେଶ ସୁରକ୍ଷା, ବୈଜ୍ଞାନିକ ମନୋଭାବର ବିକାଶ, ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା ଏବଂ ଦେଶକୁ ଉଚ୍ଚସ୍ତରର ସଫଳତାରେ ପହଞ୍ଚାଇବା ନାଗରିକମାନଙ୍କ ମୌଳିକ କର୍ତ୍ତବ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ । ସମ୍ବିଧାନର ଭାବନା ଅନୁଯାୟୀ ସାଧାରଣ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା କାର୍ଯ୍ୟପାଳିକା, ବିଧାନପାଳିକା ଓ ନ୍ୟାୟପାଳିକାର ଦାୟିତ୍ୱ ବୋଲି ରାଷ୍ଟ୍ରପତି କହିଛନ୍ତି । ସଂସଦ ଦ୍ୱାରା ପ୍ରଣୟନ କରାଯାଇଥିବା ଅନେକ ଆଇନରେ ଲୋକଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ସରକାର ସମାଜର ସମସ୍ତ ବର୍ଗ, ବିଶେଷ କରି ଦୁର୍ବଳ ବର୍ଗଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଏଭଳି ନିଷ୍ପତ୍ତି ଲୋକଙ୍କ ଜୀବନରେ ଉନ୍ନତି ଆଣିଛି ଏବଂ ସେମାନଙ୍କୁ ବିକାଶ ପାଇଁ ନୂତନ ସୁଯୋଗ ପ୍ରଦାନ କରୁଛି । ସୁପ୍ରିମକୋର୍ଟଙ୍କ ପ୍ରୟାସ କ୍ରମେ ଦେଶର ନ୍ୟାୟପାଳିକା ଆମ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପ୍ରୟାସ କରୁଛି ବୋଲି କହି ସେ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି କହିଥିଲେ ଯେ ଆମ ସମ୍ବିଧାନ ଏକ ଜୀବନ୍ତ ଏବଂ ପ୍ରଗତିଶୀଳ ଦସ୍ତାବିଜ । ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁଯାୟୀ ଆମର ଦୂରଦୃଷ୍ଟିସମ୍ପନ୍ନ ସମ୍ବିଧାନ ନିର୍ମାତାମାନେ ନୂତନ ଦୃଷ୍ଟିକୋଣକୁ ଗ୍ରହଣ କରିବାର ବ୍ୟବସ୍ଥା କରିଥିଲେ । ସମ୍ବିଧାନ ମାଧ୍ୟମରେ ଆମେ ସାମାଜିକ ନ୍ୟାୟ ଏବଂ ସମାବେଶୀ ବିକାଶ ସହିତ ଜଡିତ ଅନେକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିଛୁ । ଏକ ନୂତନ ଆଭିମୁଖ୍ୟ ସହିତ ଆମେ ଦେଶମାନଙ୍କ ତୁଳନାରେ ଭାରତ ପାଇଁ ଏକ ନୂତନ ପରିଚୟ ଅର୍ଜନ କରୁଛୁ । ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଆମ ସମ୍ବିଧାନ ନିର୍ମାତାମାନେ ଭାରତକୁ ଏକ ନିର୍ଦ୍ଦେଶିକା ଦେଇଥିଲେ । ଆଜି ଆମ ଦେଶ ଏକ ଅଗ୍ରଣୀ ଅର୍ଥବ୍ୟବସ୍ଥା ହେବା ସହ ‘ବିଶ୍ୱ-ବନ୍ଧୁ’ ଭଳି ଭଲ ଭାବେ ଏହି ଭୂମିକା ନିର୍ବାହ କରୁଛି । ରାଷ୍ଟ୍ରପତି କହିଥିଲେ ଯେ ପାଖାପାଖି ତିନି ଚତୁର୍ଥାଂଶ ଶତାବ୍ଦୀର ସାମ୍ବିଧାନିକ ଯାତ୍ରାରେ ଦେଶ ସେହି ଦକ୍ଷତା ପ୍ରଦର୍ଶନ କରିବା ଏବଂ ସେହି ସମ୍ମିଳନୀଗୁଡ଼ିକୁ ବିକଶିତ କରିବାରେ ଅନେକାଂଶରେ ସଫଳ ହୋଇଛି । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଆମେ ଶିଖିଥିବା ଶିକ୍ଷାଗୁଡ଼ିକୁ ପରବର୍ତ୍ତୀ ପିଢ଼ିକୁ ଦିଆଯିବା ଉଚିତ । ସେ ଉଲ୍ଲେଖ କରିଥିଲେ ଯେ ୨୦୧୫ ରୁ ପ୍ରତିବର୍ଷ ‘ସମ୍ବିଧାନ ଦିବସ’ ପାଳନ ଆମର ପ୍ରତିଷ୍ଠାତା ଦସ୍ତାବିଜ ସମ୍ବିଧାନ ବିଷୟରେ ଆମର ଯୁବବର୍ଗଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଛି । ସବୁ ଦେଶବାସୀ ସେମାନଙ୍କ ଆଚରଣରେ ସାମ୍ବିଧାନିକ ଆଦର୍ଶକୁ ପ୍ରୋତ୍ସାହିତ କରିବାକୁ ରାଷ୍ଟ୍ରପତି ଅନୁରୋଧ କରିଥିଲେ । ମୌଳିକ କର୍ତ୍ତବ୍ୟକୁ ଅନୁସରଣ କରିବା ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ଜାତୀୟ ଲକ୍ଷ୍ୟ ପ୍ରତି ନିଷ୍ଠାର ସହ ଆଗକୁ ବଢ଼ିବା ଲାଗି ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.