ସଇଁନ୍ତଲା, (ଅଜିତ କୁମାର ସାହୁ) : ବାଲ୍ୟ ବିବାହ ଏକ ସାମାଜିକ ସମସ୍ୟା । ଆମ ଦେଶରେ ବାଲ୍ୟ ବିବାହ ନିଷେଧ ଆଇନ୍ ୨୦୦୬ ଅନୁଯାୟୀ ବାଲ୍ୟ ବିବାହ ଏକ ଜାମିନ୍ ବିହୀନ ଧର୍ତ୍ତବ୍ୟ ଅପରାଧ ଅଟେ । ଝିଅର ବୟସ ୧୮ ବର୍ଷ ଓ ପୁଅର ବୟସ ୨୧ ବର୍ଷ ରୁ ଉଦ୍ଧ୍ୱର୍ ହେଲେ ବିବାହ ଯୋଗ୍ୟ ହୋଇପାରିବ । ଏହାକୁ ରୋକିବାକୁ ହେଲେ ଜନ ସଚେତନତା ନିତାନ୍ତ ଆବଶ୍ୟକ । ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗର ଜୁନିୟର ରେଡକ୍ରସ ୟୁନିଟ୍ ତରଫରୁ କୋଭିଡ-୧୯ ଗାଇଡ୍ଲାଇନ୍ ପାଳନ କରି ବାଲ୍ୟ ବିବାହ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡେଙ୍ଗ ପଞ୍ଚାୟତର ସରପଞ୍ଚ ଜେମାମଣି ମଲ୍ଲିକ ଯୋଗଦାନ କରିଥିଲେ । ଏହି ଅବସରରେ ବାଲ୍ୟ ବିବାହ ପ୍ରଥାକୁ ରୋକିବା ପାଇଁ ଜୁନିୟର ରେଡକ୍ରସ କାଉନ୍ସେଲର ରାମ ନାରାୟଣ ଦାଶ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନଙ୍କୁ ଏକ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମ ଯଥା ଡେଙ୍ଗ, ବୁର୍ଡା, ଛୋକରବାଞ୍ଜି, ବେନିଆବନ୍ଧ, ଟୁରଚାପଡା, ସିଲେଟପଡା, ବ୍ରାହ୍ମଣୀ, ରେଲୱେ ଷ୍ଟେସନ କଲୋନୀ, ଧୁନକେଡାର ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ମେହେର, ଲିଙ୍ଗରାଜ ନନ୍ଦ ଓ ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ ବାଲ୍ୟ ବିବାହ ଦ୍ୱାରା ଦେଖାଯାଉଥିବା ବିଭିନ୍ନ ମାନସିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଆଲୋକପାତ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କୁ ବାଲ୍ୟ ବିବାହର କୁପରିଣାମର ବିଷୟରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ବ୍ରଜମୋହନ ମାଝି, ଆଦିତ୍ୟ ରଣା, ହିମାଂଶୁ ଶେଖର ବିଶ୍ୱାଳ, ଶିକ୍ଷୟତ୍ରୀ ଦ୍ରୋପଦୀ ଭୋଇ, ଭାରତୀ ପଧାନ, ଯଶୋବନ୍ତି ସୁନା, କାନ୍ତି ଭୋଇ, ଅଙ୍ଗନୱାଡି କର୍ମୀ ଲିନୁ ସାହୁ, ସୁବିଧା ମାଝି, ଗ୍ରାମ୍ୟ ପରିଚାଳନା କମିଟୀର ସଭ୍ୟ, ବିଘ୍ନରାଜ ରଣା, ମହେନ୍ଦ୍ର ରଣା, ନିଳାବତୀ ସୁନା, ପୁରୁଷୋତ୍ତମ ରଣା, ପଦ୍ମିନୀ ଭୋଇ, ଶାନ୍ତି ଦୀପ, ସନ୍ତୋଷିନୀ ମାଝି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୁଦର୍ଶନ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।