ବୈଷ୍ଣବଙ୍କୁ ଡ୍ରାଗନ୍ ଫଳ ଦେଲା ପରିଚୟ : କୋଡ଼ିଏ ଡ଼େସିମିଲରୁ ଆରମ୍ଭ ହେଇ ଏବେ ଏକ ଏକରରେ ଚାଷ

ମ.ରାମପୁର, (ହେମନ୍ତ ସାହୁ) : ଗତବର୍ଷ ଲକଡ଼ାଉନରେ ବିଦେଶୀ ଫଳ ଦେଇଚି ବଂଚିବାର ରାହା ଶୀର୍ଷକରେ ଏକ ସଫଳ କାହାଣୀ ‘କୋଶଳ ପ୍ରବାହରେ’ରେ ପ୍ରକାଶ ପାଇଥିଲା ଯୁବ ଡ଼୍ରାଗନଚାଷୀ ବୈଷ୍ଣବଙ୍କର । ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପରେ ଏହି ଖବର ଏତେ ମାତ୍ରାରେ ପ୍ରଚାର ପ୍ରସାର ହେବାରେ ଲାଗିଲା ଯେ, ତା’ ପରଠାରୁ ମିଡ଼ିଆର ଲମ୍ବା ଧାଡ଼ି ନିୟମିତ କିଛିଦିନ ପାଇଁ ଲାଗିରହିଲା । କେବଳ ମିଡ଼ିଆ ନୁହେଁ, ନର୍ଲା ବିଧାନସଭା ସଦସ୍ୟ ଭୂପିନ୍ଦର ସିଂହ ନିଜେ ଏହି ଯୁବଚାଷୀଙ୍କୁ ସାକ୍ଷାତ କରିବା ସହିତ ତାଙ୍କୁ ଉତ୍ସାହିତ କରିଥିଲେ । ପରେ ଗୃହରାଷ୍ଟ୍ର ତଥା ଶକ୍ତି ଓ ଏମଏସଏମଇ ମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ତାଙ୍କୁ ସାକ୍ଷାତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡ଼୍ରାଗନ ଫଳ ନେଇଥିଲେ । କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଯୁବଚାଷୀଙ୍କୁ ଦେଖାକରିଥିଲେ । ତେବେ ୟା ମଧ୍ୟରେ ଏକବର୍ଷ ପ୍ରାୟ ବିତିଯାଇଛି । ବର୍ଷଟିଏ ପରେ ଯୁବ ଡ଼୍ରାଗନ୍ ଚାଷୀଙ୍କ ପ୍ରଗତି ସଂପର୍କରେ ପଚାରିବୁଝିବା ବେଳେ ବୈଷ୍ଣବ କହିଥିଲେ, ଚାଷ କରି ଗୋଟିଏ ବର୍ଷ ବିତିଯାଇଥିଲେ ବି ମୋତେ କେହି ଜାଣିନଥିଲେ ଏବଂ ଦ୍ୱିତୀୟ ବର୍ଷ ଫଳ(ଗତବର୍ଷ) ଆସିଲା ବେଳକୁ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୁଁ ଅପୂର୍ବ ସଫଳତା ପାଇଲି ଏବଂ ମୋର ମନୋବଳ ଦୃଢ ହେଇଥିଲା । ତା’ ପରେ ଆଉ ପଛକୁ ଫେରିନି, ଚଳିତ ବର୍ଷ ଏହି କୋଡ଼ିଏ ଡ଼େସିମିଲର ଚାଷକୁ ବଢାଇ ଏକ ଏକରରେ ଚାରା ଲଗାଇଛି । କୋଡ଼ିଏ ଡ଼େସମିଲରେ ପାଂଚଲକ୍ଷ ଆୟ ହେଉଥିବା ବେଳେ ଏକ ଏକରରେ ପ୍ରତିବର୍ଷ ମୋର ତିରିଶ ଲକ୍ଷ ଆୟ ହୋଇପାରିବ ବୋଲି କହିବା ସହିତ ତାଙ୍କ ପାଖରୁ ଚାରା ପ୍ରତି ଅଶୀ ଟଙ୍କା ଦରରେ ବଲାଙ୍ଗିର ୨୦୦ ଚାରା, ସୋନପୁର ୧୫୦ ଚାରା, ବରଗଡ଼ ୨୦୦ ଚାରା, ବେଲଖଣ୍ଡି ୧୦୦ ଚାରା, ଭବାନୀପାଟଣା ୧୦୦ ଚାରା, ଟିଟିଲାଗଡ଼ ୧୦୦ ଚାରରା, ବାଲିଗୁଡ଼ା ୨୦୦ଚାରା ଏବଂ ଭୁବନେଶ୍ୱରକୁ ୧୫୦ ଚାରା ଯାଇଛି । ଉକ୍ତ ଅଂଚଳରେ ଏହି ବିଦେଶୀ ଫଳ ଚାଷ ପାଇଁ ଯେଉଁମାନେ ନେଇଛନ୍ତି ତାଙ୍କ ସମସ୍ତ ପ୍ରକାର ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି ବୈଷ୍ଣବ, ଯାହା ତାଙ୍କୁ ଖୁବ୍ ଆନନ୍ଦ ଦେଉଛି ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉ କି, ଡ଼୍ରାଗନ ଫଳ ଏକ ବିଦେଶୀ ଫଳ । ବିଦେଶରେ ଏହି ଫଳର ଚାହିଦା ଆକାଶଛୁଆଁ । ପ୍ରାୟ କିଲୋ ପିଛା ଦର ୫୦୦ଟଙ୍କା । ବିଦେଶରେ ଡ଼୍ରାଗନ ଫଳ ଖାଇବାକୁ ଭାରୀ ଭଲ ପାଆନ୍ତି ସେଠାକାର ଲୋକେ । ତେବେ ଧୀରେ ଧୀରେ ଭାରତର ବିଭିନ୍ନ ପ୍ରାନ୍ତରେ ବି ଡ଼୍ରାଗନ ଚାଷ ଆରମ୍ଭ ହେଇଥିବା ବେଳେ ଛତିଶଗଡ଼, ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ଡ଼୍ରାଗନ ଚାଷ ସଫଳ ହେଇଥିବା ବେଳେ ସେଠାରେ କିଲୋ ପ୍ରତି ତିନିଶହରୁ ଚାରିଶହ ଟଙ୍କାରେ ବିକ୍ରୀ ହେଉଛି । ତେବେ ଏହି ଚାଷ ଏବେ ଓଡ଼ିଶାରେ କିଛି ସ୍ଥାନରେ କରାଯାଇଥିଲେ ହେଁ ଅନେକେ ବିଫଳ ହେଇଥିବାର ଜଣାଯାଇଛି । କିନ୍ତୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଂଚାୟତର ବାଙ୍କେଲ ଗାଁର ଗୌରାଙ୍ଗ ସାହୁଙ୍କ ଏକମାତ୍ର ପୁତ୍ର ଉଦ୍ୟମୀ ଯୁବକ ବୈଷ୍ଣବ ଚରଣ ସାହୁ ଗତ ଦୁଇ ବର୍ଷ ତଳେ ଏହି ଚାଷ କରି ସଫଳ ହେଇଥିବାର ଜଣାଯାଇଛି । ବୈଷ୍ଣବ କୌଣସି କାରଣବଶତଃ ମାଟ୍ରିକରେ ପାଠପଢାରେ ଡ଼ୋରି ବନ୍ଧା ହେବା ପରେ ପ୍ରଥମେ ପନିପରିବା ଚାଷ କରି ସଫଳ ହେଇଥିଲେ କିନ୍ତୁ ସେତିକିରେ ତାଙ୍କ ମନ ବୁଝିଲା ନାହିଁ । ବୈଷ୍ଣବ ପିଲାଟି ଦିନରୁ ଇସ୍କନ ଧର୍ମାବଲମ୍ବୀ । ମାଟ୍ରିକ ପରେ ପରେ ସେ ଇସ୍କନ ଭକ୍ତ ଭାବରେ ଦ୍ୱାରିକା ତୀର୍ଥ କରିବାକୁ ଯାଇ ସେଠାରେ ଡ଼୍ରାଗନ ଚାଷ ଦେଖିଥିଲେ । ଏହି ଫଳ ପ୍ରତି ତାଙ୍କର ଆସକ୍ତି ହେଇ ଉକ୍ତ ବଗିଚାର ମାଲିକଙ୍କ ସହିତ କଥା ବାର୍ତ୍ତା କରି ଡ଼୍ରାଗନ ଚାଷ ସଂପର୍କରେ ତାଲିମ ନେବା ଉଦ୍ଦେଶ୍ୟରେ ରହିଯାଇଥିଲେ । ସେଠାରେ ଅଢେଇବର୍ଷ ଡ଼୍ରାଗନ ଚାଷ ତାଲିମ ନେବା ପରେ ୨୦୧୮ ମସିହାରେ ସେଠାରୁ ପ୍ରତି ଚାରାର ମୂଲ୍ୟ ୧୦୦ଟଙ୍କା ହିସାବରେ ୧୦୦୦ ଚାରା ସହିତ ଘରକୁ ଫେରିଥିଲେ । ନିଜ ଚାଷ ଜମିରେ ଏହି ଚାଷ ପାଇଁ କୋଡ଼ିଏ ଡ଼େସିମିଲ ଜାଗାରେ ସ୍ୱତନ୍ତ୍ର ବ୍ୟବସ୍ଥା, ଯଥା ଡ଼୍ରିପ୍ ବ୍ୟବସ୍ଥା(ଗୋଟିଏ ଏକର ଡ଼୍ରିପ ବ୍ୟବସ୍ଥାର ଖର୍ଚ୍ଚ ୧ଲକ୍ଷ ୩୦ ହଜାର ଟଙ୍କା) ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥାକ୍ରମରେ ସିମେଂଟ ପିଲର(ଖର୍ଚ୍ଚ ୪୦ହଜାର) ସହିତ ଜମିକୁ ବାଡ଼ ତିଆରି କରାଯାଇ ଚାଷ ଆରମ୍ଭ କରାଯାଇଥିଲା । ପ୍ରଥମ ବର୍ଷ ଗଛରେ ଠିକ ଭାବରେ ଫଳ ହୋଇନଥିବାବେଳେ ଦୁଇବର୍ଷ ପରେ ଏହି ଗଛର ଫଳ ଠିକ୍‌ ଭାବରେ ବାହାରିଥାଏ । ବିଦେଶରେ ଏହାର କିଲୋ ପିଛା ଦର ୫୦୦ ଥିବା ବେଳେ ଓଡ଼ିଶା ବାହାରେ ୩୦୦ରୁ ୪୦୦ଟଙ୍କା ମଧ୍ୟରେ ବିକ୍ରି ହେଉଛି, ଏବେ ବୈଷ୍ଣବ କିନ୍ତୁ କିଲୋ ପ୍ରତି ୩୦୦ଟଙ୍କା ଦରରେ ବିକ୍ରି କରୁଥିବା ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି । ତେବେ ଏହି କୋଡ଼ିଏ ଡ଼େସିମିଲ ଜାଗାରେ ୧୦୦୦ ଗଛରୁ ଏବେ ୭୦୦ ଗଛ ଉନ୍ନତମାନର ହୋଇଥିବା ସହିତ ଫଳ ଦେଉଥିବା ବେଳେ ଚଳିତବର୍ଷ ଗୋଟିଏ ଏକରରେ ଜାଗାରେ ଡ଼୍ରାଗନ ଗଛର କଲମୀକରଣ କରି ପ୍ରାୟ ୩୦୦୦ ଚାରା ରୋପଣ କରିଛନ୍ତି । ଏବେ ଅଂଚଳରେ ବୈଷ୍ଣବ ଏହି ଡ଼୍ର୍ରାଗନ ଚାଷ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇ ପାରିଛନ୍ତି ।

Leave A Reply

Your email address will not be published.