ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିକାଶ ପରିଷଦ ଶିଶୁ ମନ୍ଦିର, ହରିରାଜପୁରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ତଥା ଜଟଣୀ ପୁସ୍ତକ ମେଳାର ସଂପାଦକ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ସୁଧୀର କୁମାର ମାନସିଂହ, ମୁଖ୍ୟବକ୍ତା ରୂପେ ହରିରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରିନାରାଣୀ ରାଉତରାୟ ଏବଂ ସମ୍ମାନିତ ଅତିଥି ରୂପେ ଯୁବ ସମାଜସେବୀ ମଧୁସୂଦନ ରାୟ, ଶିଶୁ ମନ୍ଦିରର ଯୁଗ୍ମ ସଂପାଦକ ତଥା ଶିକ୍ଷକ କିଶୋର ସୁବୁଦ୍ଧି, ପ୍ରଧାନଶିକ୍ଷକ ଗଗନ ମଙ୍ଗରାଜ, ଶିଶୁ ମନ୍ଦିରର ପ୍ରତିଷ୍ଠାତା ତଥା ସଂପାଦକ ଅକ୍ଷୟ କୁମାର ସାହୁ ଯୋଗଦେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଅଭିଭାଷଣ ରଖିଥିଲେ । ସର୍ବ ପ୍ରଥମେ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ନରେନ୍ଦ୍ର କୁମାର ମୁଦୁଲି ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ସଂପାଦକଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ କରାଯାଇଥିଲା । ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଆଗରୁ ଛାତ୍ରଛାତ୍ରୀ ମାନଙ୍କର ମା’ ମାନଙ୍କ ମଧ୍ୟରେ ଝୋଟି, ଶଙ୍ଖବାଦନ ଓ ଗ୍ଲାସ ଖେଳରେ କୃତି ମା’ ମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିଶୁ ମନ୍ଦିରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଭା ପରିଚାଳନାରେ ସହଯୋଗ କରିଥିଲେ । କିଶୋର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।