om academy

କୋଭିଡ୍-୧୯ ଗାଇଡଲାଇନକୁ ଉଲ୍ଲଙ୍ଘନ : ପାରଳାଖେମୁଣ୍ଡି ସହରର ୪ଟି ସିନେମା ହଲ ସିଲ କଲା ଜିଲ୍ଲା ପ୍ରଶାସନ

jsm

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଲା ପ୍ରଶାସନ କୋଭିଡ୍-୧୯ ଗାଇଡଲାଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ସହରର ୪ଟି ସିନେମା ହଲ୍ କୁ ସିଲ୍ କରିଛି । ପାରଳାଖେମୁଣ୍ଡି ସହରରେ ଜୟା ସିନେମା- ହଲ୍ ଓ ଶ୍ରୀ ଲକ୍ଷ୍ମୀ ସିନେମା ହଲ୍ ରେ ତେଲୁଗୁ ଫିଲ୍ମର ସୁପରଷ୍ଟାର ପବନ କଲ୍ୟାଣଙ୍କ ଅଭିନୀତ ଫିଲ୍ମ ‘ଓକିଲ୍ ବାବୁ’ ଦେଖିବା ନିମନ୍ତେ ହଜାର ହଜାର ଦର୍ଶକ ଟିକଟ କାଉଣ୍ଟର ଓ ବାହାରେ ଭିଡ ଜମାଇଥିଲେ । ଏପରିକି ସେମାନଙ୍କ ଯାନବାହାନ ଗୁଡିକ ସିନେମା ହଲ୍ ସମ୍ମୁଖରେ ଥିବା ସହରର ମୁଖ୍ୟ ସଡକ ଉପରେ ମନଇଛା ପାର୍କିଂ କରି ରାସ୍ତା ଜାମ୍ କରି ଦେଇଥିଲେ । ଯାହାଫଳରେ କି ଜନସାଧାରଣ ଓ ଯାନବାହାନ ଗୁଡିକ ଯାତାୟତ କରିବାରେ ବାଧା ଉପୁଜିଥିଲା । ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟିକେଟ୍ କାଉଣ୍ଟର ଓ ବାହାରେ ସିନେମା ଦେଖିବାକୁ ଜମା ହୋଇଥିବା ଅମାନିଆ ଭିଡକୁ ଉତ୍ତମ ମଧ୍ୟମ କରି ଘଉଡାଇଥିଲା । ଜିଲ୍ଲା ପ୍ରଶାସନ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ନିମନ୍ତେ ବିଭିନ୍ନ ପ୍ରକାର କଟକଣା ଜାରୀ କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନ, ସିନେମା ହଲ୍ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ମାନଙ୍କରେ ଭିଡ ନକରିବାକୁ ବାରମ୍ବାର ବାରଣ କରିଛନ୍ତି । କିନ୍ତୁ ସମ୍ପୃକ୍ତ ଅନୁଷ୍ଠାନ ଗୁଡିକ ଦ୍ବାରା ଜିଲ୍ଲା ପ୍ରଶାସନ ତରଫରୁ ଜାରୀ କରାଯାଇଥିବା ଗାଇଡଲାଇନ କୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଇଛି । ଏହାକୁ ଦେଖି ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଅତିରିକ୍ତ ତହସିଲଦାର ବିପିନ ଚନ୍ଦ୍ର ଲିମ୍ମା କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଶ୍ରୀ ଲକ୍ଷ୍ମୀ, ଜୟା ସିନେମା ହଲ୍ କୁ ସିଲ୍ କରିଛନ୍ତି । ସେହିପରି ଶ୍ରୀ କ୍ରିଷ୍ଣା ଓ ନଟରାଜ ସିନେମା ହଲକୁ ପରିଚାଳନା କରିବା ଆବଶ୍ୟକୀୟ କାଗଜପତ୍ର ଗୁଡିକର ଅବଧି ଶେଷ ହୋଇଯାଇଥିବା କାରଣରୁ ସିଲ୍ କରାଯାଇଥିବାର ପାରଳାଖେମୁଣ୍ଡି ତହସିଲଦାର ଗଣମାଧ୍ୟମକୁ ସୂଚନା କରିଛନ୍ତି ।

Leave A Reply

Your email address will not be published.