ବଲାଙ୍ଗିର, (କେପିଏନ୍ଏସ୍) : ଆଗାମୀ ପୌର ନିର୍ବାଚନରେ ନିୟୋଜିତ ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କୁ ତାଲିମ ପ୍ରଦାନ ସକାଶେ ନିର୍ବାଚନ ଅଧିକାରୀ, ମାଷ୍ଟର ଟ୍ରେନର୍ ଓ ସେକ୍ଟର ଅଫିସରମାନଙ୍କ ଏକ ତାଲିମ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଗଙ୍ଗାଧର ନାୟକ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ଟିଟିଲାଗଡ଼ ଉପ-ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ବଲାଙ୍ଗିର ଉପ-ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ଟିଟିଲାଗଡ଼, ପାଟଣାଗଡ଼, କଂଟାବାଂଜି ଉପଖଣ୍ଡ ପୋଲିସ ଅଧିକାରୀ, ସମସ୍ତ ନିର୍ବାଚନ ଅଧିକାରୀ, ମାଷ୍ଟର ଟ୍ରେନର୍ ଓ ସଂପୃକ୍ତ ଥାନାଗୁଡ଼ିକର ଭାରପ୍ରାପ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ପୌର ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଦିଗରେ ନିର୍ବାଚନ ଅଧିକାରୀ, ସେକ୍ଟର ଅଫିସର, ମାଷ୍ଟର ଟ୍ରେନର୍, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ନିର୍ବାଚନ ସହ ସଂପୃକ୍ତ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ନିର୍ବାଚନ କାର୍ଯ୍ୟ ସଂପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପୌର ନିର୍ବାଚନ ଇଭିଏମ୍ ମେସିନ୍ ଦ୍ୱାରା କରାଯାଉଥିବାରୁ ନିର୍ବାଚନରେ ନିୟୋଜିତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମାନେ ଇଭିଏମ୍ ପରିଚାଳନା ସଂପର୍କରେ ସଠି୍ ଭାବେ ଅବଗତ ହେବାକୁ ପରାମର୍ଶ ଦେବା ସହ ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକରେ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ସହ ସେକ୍ଟର ଅଫିସର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ମାନେ ସେମାନଙ୍କ ଦାୟିତ୍ୱ ସଠିକ୍ ଭାବେ ତୁଳାଇବାକୁ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ପୌର ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ପୋଲିସ ଓ ମାଜିଷ୍ଟ୍ରେଟ୍ଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିବା ସହ ପୋଲିସ ମୁତୟନ ସସଂପର୍କରେ ସୂଚନା ଦେଇଥିଲେ । ଡିଆର୍ଡିଏ.ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ଡ. ଗୁଣନିଧି ନାୟକ ମାଷ୍ଟର ଟ୍ରେନର୍ ଓ ନିର୍ବାଚନ ସହ ସଂପୃକ୍ତ ଅନ୍ୟ ଅଧିକାରୀମାନଙ୍କୁ ପୌର ନିର୍ବାଚନ ପରିଚାଳନା ସଂପର୍କରେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀ, ନିର୍ବାଚନ ପରିଚାଳନାରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ସେକ୍ଟର ଅଫିସର ଓ ନିର୍ବାଚନ ଅଧିକାରୀମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ଭୋଟ ଗ୍ରହଣ କେନ୍ଦ୍ର ପ୍ରସ୍ତୁତି, ପୋଲିଂ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଭୋଟ ଗ୍ରହଣ କେନ୍ଦ୍ରକୁ ପଠାଇବା ସକାଶେ ସାମଗ୍ରୀ ବଂଟନ ବ୍ୟବସ୍ଥା, ଭୋଟ ଗ୍ରହଣ ଦିନ ନିର୍ବାଚନ ପରିଚାଳନା, ସେକ୍ଟର ଅଫିସରଙ୍କ ଦାୟିତ୍ୱ ତଥା ନିର୍ବାଚନ ସଂକ୍ରାନ୍ତୀୟ ଅନ୍ୟାନ୍ୟ ଆନୁସାଂଗିକ ବ୍ୟବସ୍ଥା ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରାଂଜଳ ଭାବେ ବୁଝାଇଥିଲେ । ପୌର ନିର୍ବାଚନ ଇଭିଏମ୍ ମେସିନ୍ ଦ୍ୱାରା କରାଯାଉଛି, ତେଣୁ ଇଭିଏମ୍ ମେସିନ୍ରେ କିପରି ଭୋଟ କରାଯିବ ସେ ସଂପର୍କରେ ସେ ସବିଶେଷ ବୁଝାଇଥିଲେ । ଇଭିଏମ୍ ମେସିନ୍ର ବେଲଟ୍ ୟୁନିଟ ଓ କଟ୍ରୋଲ ୟୁନିଟର ପରିଚାଳନା ସଂପର୍କରେ ସବିଶେଷ ବୁଝାଇବା ସହ ଇଭିଏମ୍ ପରିଚାଳନାରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ତାଲିମ ପ୍ରଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍ ମେସିନ ପରିଚାଳନା ସଂପର୍କରେ ନମୂନା ପ୍ରଦର୍ଶନ କରି ଦେଖାଇବା ସହ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ମେସିନ୍ କିପରି ବ୍ୟବହାର କରାଯିବ ସେ ସଂପର୍କରେ ବିଶେଷ ସୂଚନା ଦେଇଥିଲେ । ଇଭିଏମ୍ ପରିଚାଳନା ତାଲିମ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଦିଲୀପ କୁମାର ମାଝୀ, ଆଦିତ୍ୟ ଦଳବେହେରା ସହଯୋଗ କରିଥିଲେ । ମାଷ୍ଟର୍ ଟ୍ରେନର୍ମାନେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ତାଲିମ ପ୍ରଦାନ କରିବେ । ଏହି ତାଲିମ କାର୍ଯ୍ୟକ୍ରମରେ ବଲାଙ୍ଗିର, ଟିଟିଲାଗଡ଼ ପୌର ପରିଷଦ, ପାଟଣାଗଡ଼, ତୁଷୁରା ଓ କଂଟାବାଂଜି ଏନ୍ଏସି.ର ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ ।