ବିଶ୍ୱ ଶାନ୍ତି ଏବଂ ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କ ମଙ୍ଗଳ କାମନା କରି ଦୀପ ଦାନ ଏବଂ ସାମୁହିକ ପ୍ରାର୍ଥନା

ଢେଙ୍କାନାଳ, (କେପିଏନ୍‌ଏସ୍‌) : ବିଶ୍ୱକୁ ଥରେଇ ଦେଲା ଭଳି ରୁଷ ୟୁକ୍ରେନ ଯୁଦ୍ଧ ପ୍ରତିଟି ମୁହୂର୍ତ୍ତରେ ଭୟଙ୍କର ଠୁଁ ଅଧିକ ଭୟଙ୍କର ହେବାରେ ଲାଗିଛି । ପ୍ରାୟ ୯ ଦିନ ଧରି ଚାଲିଥିବା ଉକ୍ତ ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସୈନିକ ଏବଂ ଶହ ଶହ ନିରୀହ ଜନତା ମୃତ୍ୟୁବରଣ କରି ସାରିଲେଣି ଏବଂ ଆରବ ଆରବ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ସାରିଲାଣି । ଯେ କୌଣସି ମୁହୂର୍ତ୍ତରେ ଏହି ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇପାରେ । ଉକ୍ତ ଅବାଂଛିତ ଯୁଦ୍ଧ ସମୟରେ ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । କୋଡିଏ ହଜାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର ୬୫୦୦ ଜଣ ଉଦ୍ଧାର ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ ୟୁକ୍ରେନର ରାଜଧାନୀ କିଭ୍‌ରେ ଫସିଥିବା ବେଳେ ସେମାନେ ବହୁ ବିପଦ ଜନକ ଅବସ୍ଥାରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । ଏଭଳି ଯୁଦ୍ଧର ଅବସାନ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏବଂ ଯୁଦ୍ଧ ଅଞ୍ଚଳରେ ସଙ୍କଟରେ ଥିବା ଭାରତୀୟମାନଙ୍କ ମଙ୍ଗଳ କାମନା କରି ଢେଙ୍କାନାଳ ଥିଙ୍କର୍ସ ଫୋରମର ସଦସ୍ୟମାନେ ଗତକାଲି ସନ୍ଧ୍ୟା ସମୟରେ ସ୍ଥାନୀୟ ଗାନ୍ଧୀ ପାର୍କଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସମୂହ ଦୀପ ଦାନ କରିବା ସହ ସମ୍ମିଳିତ ପ୍ରାର୍ଥନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଫୋରମର ସଭାପତି ସୋମେନ୍ଦୁ ଶତପଥୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, ଉପସଭାପତି ନିମେଇ ଚରଣ ସାହୁ, ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ, କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ୱିବେଦୀ, ରାମଚନ୍ଦ୍ର ଦେବତା, ଭୋଜରାଜ ସାହୁ, ସୁଶୀଲ କୁମାର ନନ୍ଦ, ବିନୋଦ ମଲ୍ଲିକ, ନଜରୁଲ ଇସଲାମ ଏବଂ ଫୋରମର ଉପଦେଷ୍ଟା ଦୀପକ ପ୍ରସାଦ ପଟ୍ଟନାୟକ ଓ ଟଙ୍କଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.