- ଯୁବକମାନଙ୍କ ଦ୍ୱାରା ଲିଙ୍ଗଗତ ପ୍ରତିବନ୍ଧକ ଦୂର କରିବା ନିମନ୍ତେ ଏକ ଅଭିନବ ପ୍ରୟାସ
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର-୨ ଖେଳ ପଡିଆ ଠାରେ ଏକ ନିଆରା ଫୁଟବଲ ମ୍ୟାଚ୍ ‘ସମତା କପ୍-୨୦୨୪’ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଲିଫାୟ ମ୍ୟାଚ୍ରେ ବିବିସି ରାଉରକେଲା ଓ ଡବ୍ଲୁୱାଇସି ସୁନ୍ଦରଗଡ଼ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚ୍ରେ ଉଭୟ ପୁଅ ଓ ଝିଅ ଖେଳାଳୀ ସାମିଲ୍ ହୋଇ ସମାନତାର ବାର୍ତ୍ତା ଦେଇଥିଲେ । ବର୍ତ୍ତମାନ ସମାଜରେ ଦେଖାଦେଉଥିବା ଲିଙ୍ଗଗତ ଭେଦଭାବକୁ ଦୂର କରିବାକୁ ନେଇ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି । ଲିଙ୍ଗଗତ ଭେଦଭାବରୁ କେବଳ ଝିଅ ନୁହେଁ, ପୁଅ ମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ହେଉଛନ୍ତି । ଏହି ପ୍ରକ୍ରିୟାରେ କେବଳ ବ୍ୟକ୍ତିଗତ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଲେ ଯେ, ସମାନତା ଆସିବ ତାହା ନୁହେଁ, ବରଂ ବ୍ୟାବହାରିକ ପରିବର୍ତ୍ତନ, ସାମାଜିକ ଚାଲିଚଳଣରେ ପରିବର୍ତ୍ତନ ଓ ନୂତନ ଉଦାହରଣ ଦ୍ବାରା ହିଁ ଲିଙ୍ଗଗତ ସମାନତାର ଗତିକୁ ଦ୍ୱରାନ୍ୱିତ କରିହେବ । ଏହି ଉଦ୍ଦେଶ୍ୟରେ ‘ପତଙ୍ଗ’ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ସମତା କପ-୨ର ଆୟୋଜନ କରାଯାଇଛି । ଆଜି ମ୍ୟାଚ୍ରେ ଉଭୟ ଦଳ ସମୟ ସୀମା ମଧ୍ୟରେ ଖେଳି ୨-୧ ଗୋଲ୍ରେ ବିବିସି ରାଉରକେଲା ‘ସମତା କପ୍-୨୦୨୪’ର ଦ୍ୱିତୀୟ ଲିଙ୍ଗ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି । ଉକ୍ତ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଡିସୋଜା ସ୍କୁଲର ଅଧ୍ୟକ୍ଷ ଆଲେକ୍ସ ଜେଣ୍ଡର ଏବଂ ସମ୍ମାନିତ ଅତିଥ୍ ଭାବେ ଜେନରେଲ ମ୍ୟାନେଜର ସିଦ୍ଧାର୍ଥ ରଥ ଯୋଗ ଦେଇଥିଲେ । ‘ପତଙ୍ଗ’ର ଆଞ୍ଜନ ପଧାନ, ସୁନିଲ ମୁଣ୍ଡ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଫୁଟବଲ କୋଚ ନରେନ୍ଦ୍ର ସୁନାଙ୍କ ତତ୍ତ୍ୱାବଧାନରେ ସଫଳତାର ସହିତ ଆଜିର ଖେଳ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ରୋହିଣୀ ନିଲେକାନୀ, ଫିଲାନଥ୍ରୋପିଷ୍ଟ ଏସ୍.କେ.ଏନ୍. ଓ କେ. ଏନ୍.ଏଚ୍. ସହଯୋଗ କରିଥିଲେ ।