ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ପରିସରରୁ ବିଶ୍ଵ ଜନସଂଖ୍ୟା ସଚେତନତା ପକ୍ଷ ପାଳନ ଅବସରରେ ବ୍ୟାପକ ସଚେତନତା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମାନସ ରଞ୍ଜନ ଦଣ୍ଡପାଟ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ରଥର ଶୁଭାରମ୍ଭ କରିଥିଲେ । ଶୁଭାରମ୍ଭ ଉତ୍ସବ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ ଅଧିକାରୀ ଡା. ନବକିଶୋର ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ମେଡିକାଲ) ଡ. ତ୍ରିବିକ୍ରମ ପାଣ୍ଡିଆଙ୍କ ସମେତ ସମସ୍ତ ଉପବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶୁଭାରମ୍ଭ କରାଯାଇ ଥିବା ସଚେତନତା ରଥ ଜିଲ୍ଲା ମ୍ୟୁନିସିପାଲିଟି ଅଂଚଳର ସମସ୍ତ ୱାର୍ଡରେ ବ୍ୟାପକ ସଚେତନତା ସୃଷ୍ଟି କରାଇବ । ଏଥିସହ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମଧ୍ୟ ସମାନ ଢଙ୍ଗର କାର୍ଯ୍ୟକ୍ରମ ବିଭାଗ ତରଫରୁ ଅନୁଷ୍ଠିତ କରାଯିବ କ୍ଷ
ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ନବକିଶୋର ବେହେରାଙ୍କ ସୂଚନା ଅନୁସାରେ ବିଶ୍ୱ ଜନସଂଖ୍ୟା ପକ୍ଷ ପ୍ରତି ବର୍ଷ ଜୁନ ୨୭ ତାରିଖରୁ ଜୁଲାଇ ୨୪ ତାରିଖ ପର୍ୟ୍ୟନ୍ତ ୨ଟି ପର୍ଯ୍ୟୀୟରେ ପାଳିତ ହୋଇଥାଏ ଯଥା; ଜୁନ ୨୭ ତାରିଖରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ ଓ ଜୁଲାଇ ୧୧ ତାରିଖରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ବିଶ୍ଵ ଜନସଂଖ୍ୟା ସ୍ଥିରତା ପକ୍ଷ । ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷରେ ବିଭିନ୍ନ ମାଧ୍ୟମ ଅବଲଂବନ କରି ଜନସଂଖ୍ୟା ସ୍ଥିରତା ଉପରେ ବ୍ୟାପକ ସଚେତନାତା ସୃଷ୍ଟି କରାଯାଉ ଥିବା ବେଳେ ସ୍ଥିରତା ପକ୍ଷରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଉପଲବ୍ଧ ବିଭିନ୍ନ ପରିବାର ନିୟୋଜନ ପଦ୍ଧତି (ବାସ୍କେଟ ଚଏସ) ମଧ୍ୟରୁ ଯଥା; ଗର୍ଭ ନିରୋଧକ ବଟିକା ଓ କଣ୍ଡମ, ଅନ୍ତରା ଇଞ୍ଜେକ୍ସନ, ପ୍ରସବ ପରବର୍ତ୍ତୀ ଆୟୁସିଡି, ଆୟୁସିଡି, ମହିଳା ବନ୍ଧ୍ୟା କରଣ, ପୁରୁଷ ବନ୍ଧ୍ୟା କରଣ ଇତ୍ୟାଦି ସେବା ସବୁ ମଧ୍ୟରୁ ସନ୍ତାନ ଜନ୍ମକ୍ଷମ ଦମ୍ପତ୍ତିଙ୍କ ମନ ପସନ୍ଦର ଗୋଟିଏ ପଦ୍ଧତି ଆପଣେଇବାର ସେବା ପ୍ରଦାନ କରାଯାଇଥାଏ ।