ରୋଟାରୀ ଷ୍ଟିଲ ସିଟି ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଏବଂ ରାଉରକେଲା ସରକାରୀ ଡାକ୍ତରଖାନାର ମିଳିତ ଆନୁକୂଲ୍ୟରେ ଡାକ୍ତରଖାନା ପରିସରରେ କାୟାକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୋଟାରୀ କ୍ଲବ ଷ୍ଟିଲ ସିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଡାକ୍ତରଖାନା ପରିସରକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହାସହ ସମସ୍ତ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ସେବା ପାଇଁ ପ୍ରଶଂସା କରାଯିବା ସହିତ ଆଗାମୀ ଦିନରେ ଡ଼ାକ୍ତରଖାନା କିପରି ଅଧିକ ପରିସ୍କାର ରହିବ, ସେ ଦିଗରେ ପ୍ରେରଣା ଦିଆ ଯାଇଥିଲା । ମା’ ଓ ଶିଶୁ ୱାର୍ଡରେ ମା’ମାନେ କିପରି ପରିସ୍କାର ରହିବେ, ପିଲାମାନଙ୍କୁ ପରିସ୍କାର ସହ ସୁସ୍ଥ ରଖିବେ ସେ ସମ୍ପର୍କରେ ବୁଝାଇଥିଲେ । ଏହି ଅବସରରେ ସମସ୍ତ ମା’ମାନଙ୍କୁ ସାନିଟାରୀ ନାପକିନ ଓ ସାନିଟାଇଜର ଦିଆଯାଇ ଏହାର ବ୍ୟବହାର ଓ ଉପକାରିତା ସମ୍ପର୍କରେ ବୁଝାଇଥିଲେ । ମା’ମାନେ ଘରର ବଳକା ଖାଦ୍ୟ ତଥା ମାଟିରେ ମିଶିଯାଉଥିବା ଅଦରକାରୀ ପଦାର୍ଥକୁ ସବୁଜ ରଙ୍ଗର ଡଷ୍ଟବିନରେ ପକାଇବେ, ମାଟିରେ ମିଶି ପାରୁନଥିବା ପଦାର୍ଥକୁ କଳା ଡଷ୍ଟବିନରେ ପକାଇବେ ବୋଲି ବୁଝାଇଥିଲେ । ଏହାସହ ବ୍ୟବହାର କରିଥିବା ସାନିଟାରୀ ପ୍ୟାଡକୁ ଡାକ୍ତରଖାନାରେ ଥିବା ହଳଦିଆ ରଙ୍ଗର ଡଷ୍ଟବିନ ପକାଇବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନାର ନିର୍ଦ୍ଦେଶକ ଡ. ଆନନ୍ଦ ଗୋପାଳ ମହାନ୍ତି, ସହ ନିର୍ଦ୍ଦେଶକ ଡ଼. ପଣ୍ଡିତ ସାହୁ, ବରିଷ୍ଠ ଡ଼ାକ୍ତର ଡା. ଗୋପାଳ ରାୟ, ପ୍ରବନ୍ଧକ କୁମାର ଅଭିଷେକ ଓ ପ୍ରନ୍ତୋଷ ମନ୍ଦାର ଉପସ୍ଥିତ ରହି ରୋଟାରୀଆନ ମାନଙ୍କର ଏହି କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଅବସରରେ ଷ୍ଟିଲ ସିଟି ତରଫରୁ ଝାଡୁ, ଡଷ୍ଟବିନ, ଫିନାଇଲ, ସାନିଟାରୀ ନାପକିନ, ସାନିଟାଇଜର, ରୁମ୍ ଓ ପରିସର ସଫା ପାଇଁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସଫେଇ କର୍ମଚାରୀ, ବିଭିନ୍ନ ବିଭାଗର ନର୍ସ, ବରିଷ୍ଠ ଡ଼ାକ୍ତରଙ୍କ ସହ ରୋଟାରିଆନ ଡ. ଅଞ୍ଜନା ମୈତ୍ର, ରୋଟାରିଆନ ରଶ୍ମି ମିଶ୍ର, ରୋଟାରିଆନ ଡ. ସରିତା ମଲ୍ଲ, ରୋଟାରିଆନ ସନ୍ଧ୍ୟାରାଣୀ ବରାଳ, ରୋଟାରିଆନ ଲଳିତା ମୁଦୁଲି, ରୋଟାରିଆନ ବିଜୟ ବୈଭବ ରାୟ, ରୋଟାରିଆନ ଆଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.