ଖଟରେ ବୁହା ହେଲେ ରୋଗୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ପକ୍କା ରାସ୍ତାଟିଏ ହୋଇପାରି ନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଅନେକ ଯୋଜନାରେ ପକ୍କା ରାସ୍ତା ନିର୍ମାଣ ହେଉଥିବା ବେଳେ କଣ୍ଟାତଳ ଗ୍ରାମ ପାଇଁ ସ୍ୱପ୍ନ ଅଟେ । ଅନ୍ୟପକ୍ଷରେ ଏହି ଗ୍ରାମକୁ ସଂଯୋଗ କରୁଥିବା ପତ୍ରାପାଲି-ଭୁତଟିକ୍ରା ରାସ୍ତା ମଧ୍ୟ ବର୍ଷବର୍ଷ ଧରି ଶୋଚନୀୟ ହୋଇ ରହିଥିବା ଖବର ମିଳିଛି । ଫଳରେ କଣ୍ଟାତଳ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସୂଚନା ଅନୁସାରେ ଉକ୍ତ ଗ୍ରାମର ୬୫ ବର୍ଷିୟା ବୃଦ୍ଧ ଭକ୍ତ ଚରଣ ନାଏକ ହଠାତ୍ ଅସୁସ୍ଥ ହେବା ଯୋଗୁଁ ତାଙ୍କୁ ପରିବାର ଲୋକେ ଖଟରେ ବୋହି ଡାକ୍ତରଖାନା ନେବା ଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ତାଙ୍କୁ ନିକଟସ୍ଥ ଗ୍ରାମ ପତ୍ରାପାଲି ପର୍ଯ୍ୟନ୍ତ ଖଟରେ ବୋହିକି ଆଣିବା ପରେ ଏକ ଭଡ଼ାଡିରେ ଖେଦାପାଲି ସ୍ଥିତ ବରଗଡ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଅଞ୍ଚଳବାସୀ ବାରମ୍ବାର ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ରାସ୍ତା ନିର୍ମାଣ ପ୍ରତି ଧ୍ୟାନ ଦେଉନଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.