ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଦୁର୍ଗେ ଦୁର୍ଗତିନାଶିନୀ, ଅଭୟ ବରଦାୟିନୀ, ମହିଷାସୁର ମର୍ଦ୍ଦିିନୀ ମା’ ଦଶଭୂଜା ଦୁର୍ଗାଙ୍କ ଆବାହନ ଓ ପୂଜନ ପରେ ଏବେ ଡେଲାଙ୍ଗର ବିଭିନ୍ନ ପୂଜା ମଣ୍ଡପରେ, ଘୋରଡ଼ିଆ ଶାଉରିଆ ଗ୍ରାମର ବାବା ସୋମନାଥ ମନ୍ଦିର ଏବଂ ଘନିପୁର ଶ୍ରୀ ଚୈତନ୍ୟ ମଠ ଦୋଳବେଦୀରେ ମହା ସମାରୋହରେ ପୂଜା ପାଉଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ । ଗଜଲକ୍ଷ୍ମୀଙ୍କ ପାର୍ବଣ ସମ୍ଭାର, ପୂଜାମଣ୍ଡପରେ ଶୋଭା ପାଉଛନ୍ତି । ସୁଶୋଭିତ ଗଜଲକ୍ଷ୍ମୀ ପୂଜା ମଣ୍ଡପ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି । ସୋମବାର ଠାରୁ ଆରମ୍ଭ ହେଇଥିବା ଗଜଲକ୍ଷ୍ମୀ ପୂଜା ସମ୍ଭାର ଷୋଡଶ ଉପଚାରରେ ଦେବୀଙ୍କୁ ପୂଜା ଆବାହନ କରାଯାଇ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ସମାହିତ ହୋଇଆସିଛି । ସୁନ୍ଦର ତୋରଣ ସହିତ ସୁସଜ୍ଜିତ ଆଲୋକମାଳାରେ ଚିତ୍ତାକର୍ଷକ ପୂଜା ମଣ୍ଡପ ବେଶ ଆକର୍ଷଣୀୟ ହୋଇଛି । ବହୁ ବର୍ଷ ଧରି ଏଠାରେ ପାଳିତ ହୋଇ ଆସୁଥିବା ଏହି ମା’ ଗଜଲକ୍ଷ୍ମୀଙ୍କ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ମେଢ଼ ଖୁବ୍ ଆଡ଼ମ୍ବରପୂର୍ଣ୍ଣ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ଦେବୀଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ । ଗତକାଲି ପ୍ରଥମ ଦିବସ ସନ୍ଧ୍ୟାରେ ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇ ଭକ୍ତଜନ ଦେବୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିବା ସହ ଭକ୍ତ ଖୁସିବ୍ୟକ୍ତ କରିଛନ୍ତି । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସପ୍ତାହବ୍ୟାପୀ ମା’ଙ୍କ ଏହି ପୂଜା ପାର୍ବଣ ଚାଲିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.