
ମହାମହିମ, ରାଷ୍ଟ୍ରପତି ବୋରିକ୍,
ଉଭୟ ଦେଶର ପ୍ରତିନିଧିଗଣ,
ଗଣମାଧ୍ୟମର ବନ୍ଧୁମାନେ,
ନମସ୍କାର ! ହୋଲା !
ରାଷ୍ଟ୍ରପତି ବୋରିକଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ । ଭାରତ ପ୍ରତି ତାଙ୍କର ଦୃଢ଼ ବନ୍ଧୁତା ଭାବନା ଏବଂ ଆମ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରକୃତରେ ପ୍ରଶଂସନୀୟ । ଏଥିପାଇଁ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କୁ ତଥା ତାଙ୍କ ବିଶିଷ୍ଟ ପ୍ରତିନିଧି ଦଳକୁ ସ୍ୱାଗତ କରୁଛି ।
ବନ୍ଧୁଗଣ,
ଲାଟିନ ଆମେରିକାରେ ଚିଲି ଭାରତ ପାଇଁ ଏକ ମୂଲ୍ୟବାନ ବନ୍ଧୁ ଏବଂ ସହଯୋଗୀ ଦେଶ । ଆଜିର ଆଲୋଚନାରେ ଆମେ ଆଗାମୀ ଦଶନ୍ଧିରେ ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଅନେକ ନୂତନ ପଦକ୍ଷେପ ଚିହ୍ନଟ କରିଛୁ । ଆମେ ପାରସ୍ପରିକ ବାଣିଜ୍ୟ ଏବଂ ନିବେଶର ସମ୍ପ୍ରସାରଣକୁ ସ୍ୱାଗତ କରୁଛୁ ଏବଂ ଆମେ ସହମତ ଯେ ଆଗକୁ ସହଯୋଗର ଅନେକ ସମ୍ଭାବନା ରହିଛି । ପାରସ୍ପରିକ ଲାଭଦାୟକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବାକୁ ଆଜି ଆମେ ଆମ ଟିମ୍ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛୁ । ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଭାଗିଦାରୀ ଉପରେ ଗୁରୁତ୍ୱ ଦିଆଯିବ । ସ୍ଥାୟୀ ଯୋଗାଣ ଏବଂ ମୂଲ୍ୟ ଶୃଙ୍ଖଳା ପ୍ରତିଷ୍ଠା ପାଇଁ ପ୍ରୟାସ କରାଯିବ। କୃଷି କ୍ଷେତ୍ରରେ ଆମେ ପରସ୍ପରର ଶକ୍ତିର ଉପଯୋଗ କରି ଖାଦ୍ୟ ନିରାପତ୍ତା ବୃଦ୍ଧି ପାଇଁ ସହଯୋଗ କରିବୁ । ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଅକ୍ଷୟ ଶକ୍ତି, ରେଳବାଇ, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଚିଲି ସହିତ ଏହାର ସକାରାତ୍ମକ ଅଭିଜ୍ଞତା ବାଣ୍ଟିବାକୁ ଭାରତ ପ୍ରସ୍ତୁତ ଅଛି । ଆମେ ଚିଲିକୁ ଆଣ୍ଟାର୍କଟିକାର ପ୍ରବେଶ ଦ୍ୱାର ଭାବରେ ଦେଖୁଛୁ । ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଲେଟର ଅଫ୍ ଇଣ୍ଟେଣ୍ଟ ଉପରେ ଆଜିର ଚୁକ୍ତିକୁ ଆମେ ସ୍ୱାଗତ କରୁଛୁ । ଚିଲିର ସ୍ୱାସ୍ଥ୍ୟ ସୁରକ୍ଷାକୁ ସମର୍ଥନ କରିବାରେ ଭାରତ ଏକ ବିଶ୍ୱସ୍ତ ଅଂଶୀଦାର ହୋଇଛି ଏବଂ ଆମେ ଏହି ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ରାଜି ହୋଇଛୁ । ଏହା ଆନନ୍ଦର ବିଷୟ ଯେ ଚିଲିର ଲୋକମାନେ ଏକ ସୁସ୍ଥ ଜୀବନଶୈଳୀର ଅଂଶ ଭାବରେ ଯୋଗକୁ ଗ୍ରହଣ କରିଛନ୍ତି । ଚିଲିରେ ନଭେମ୍ବର ୪କୁ ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିବା ପ୍ରକୃତରେ ପ୍ରେରଣାଦାୟକ । ଆମେ ଚିଲିରେ ଆୟୁର୍ବେଦ ଏବଂ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ସହଯୋଗ ବଢ଼ାଇବାର ସୁଯୋଗ ମଧ୍ୟ ଅନୁସନ୍ଧାନ କରିଛୁ ।
ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଆମର ଗଭୀର ପାରସ୍ପରିକ ବିଶ୍ୱାସର ପ୍ରତୀକ । ଏହି କ୍ଷେତ୍ରରେ ଆମେ ପରସ୍ପରର ଆବଶ୍ୟକତା ଅନୁଯାୟୀ ପ୍ରତିରକ୍ଷା ଶିଳ୍ପ ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବା ଦିଗରେ ଆଗକୁ ବଢ଼ିବୁ । ସଂଗଠିତ ଅପରାଧ, ନିଶା ଦ୍ରବ୍ୟ ଚାଲାଣ ଏବଂ ଆତଙ୍କବାଦ ଭଳି ସାଧାରଣ ଆହ୍ୱାନର ମୁକାବିଲା କରିବା ପାଇଁ ଆମେ ଉଭୟ ଦେଶର ଏଜେନ୍ସି ମଧ୍ୟରେ ସହଯୋଗ ବୃଦ୍ଧି କରିବୁ । ସମସ୍ତ ଉତ୍ତେଜନା ଓ ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହେବା ଉଚିତ ବୋଲି ବିଶ୍ୱସ୍ତରରେ ଭାରତ ଓ ଚିଲି ସହମତ ହୋଇଛନ୍ତି । ବୈଶ୍ୱିକ ଆହ୍ୱାନର ମୁକାବିଲା କରିବାକୁ ହେଲେ ଜାତିସଂଘ ସୁରକ୍ଷା ପରିଷଦ ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ସଂସ୍କାର ଜରୁରୀ ବୋଲି ଆମେ ଏକମତ। ଆମେ ସମସ୍ତେ ମିଳିମିଶି ବିଶ୍ୱ ଶାନ୍ତି ଓ ସ୍ଥିରତା ଦିଗରେ ଯୋଗଦାନ ଜାରି ରଖିବୁ ।
ବନ୍ଧୁଗଣ,
ଯଦିଓ ଭାରତ ଏବଂ ଚିଲି ବିଶ୍ୱ ମାନଚିତ୍ରର ଭିନ୍ନ ଭିନ୍ନ ପ୍ରାନ୍ତରେ ଅଛନ୍ତି, ବିଶାଳ ସମୁଦ୍ର ଦ୍ୱାରା ଅଲଗା, ତଥାପି ଆମର କିଛି ଅନନ୍ୟ ପ୍ରାକୃତିକ ସାମଞ୍ଜସ୍ୟ ରହିଛି । ଭାରତର ହିମାଳୟ ଏବଂ ଚିଲିର ଆଣ୍ଡିଜ୍ ପର୍ବତ ହଜାର ହଜାର ବର୍ଷ ଧରି ଉଭୟ ଦେଶର ଜୀବନଶୈଳୀକୁ ଆକାର ଦେଇଛି । ପ୍ରଶାନ୍ତ ମହାସାଗରର ଲହରୀ ଚିଲି ଉପକୂଳକୁ ଯେଭଳି ଶକ୍ତିରେ ସ୍ପର୍ଶ କରିଥାଏ, ସେହିପରି ଶକ୍ତି ରେ ଭାରତ ମହାସାଗରର ଲହରୀ ଭାରତରେ ପ୍ରବାହିତ ହୋଇଥାଏ । ଉଭୟ ଦେଶ କେବଳ ପ୍ରକୃତି ଦ୍ୱାରା ଜଡ଼ିତ ନୁହଁନ୍ତି, ଆମ ସଂସ୍କୃତି ମଧ୍ୟ ଏହି ବିବିଧତାକୁ ଗ୍ରହଣ କରି ପରସ୍ପରର ନିକଟତର ହୋଇଛି ।
ରବୀନ୍ଦ୍ରନାଥ ଟାଗୋର ଏବଂ ଅରବିନ୍ଦ ଘୋଷଙ୍କ ଚିନ୍ତାଧାରାରେ ପ୍ରେରଣା ପାଇଥିଲେ ମହାନ ଚିଲି କବି ତଥା ନୋବେଲ ବିଜେତା “ଗାବ୍ରିଏଲା ମିଷ୍ଟ୍ରେଲ” । ସେହିଭଳି ଚିଲି ସାହିତ୍ୟକୁ ଭାରତରେ ମଧ୍ୟ ପ୍ରଶଂସା କରାଯାଇଛି । ଭାରତୀୟ ଚଳଚ୍ଚିତ୍ର, ରୋଷେଇ ଏବଂ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଚିଲିବାସୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆଗ୍ରହ ଆମ ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ଉଦାହରଣ ।
ଚିଲିକୁ ନିଜର ଘର ବୋଲି ଭାବୁଥିବା ଭାରତୀୟ ବଂଶୋଦ୍ଭବ ପ୍ରାୟ ଚାରି ହଜାର ଲୋକ ଆଜି ଆମର ମିଳିତ ଐତିହ୍ୟର ରକ୍ଷକ । ରାଷ୍ଟ୍ରପତି ବୋରିକ୍ ଏବଂ ତାଙ୍କ ସରକାରଙ୍କ ଯତ୍ନ ଓ ସମର୍ଥନ ପାଇଁ ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।
ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଉପରେ ଆଜି ହୋଇଥିବା ସହମତିକୁ ଆମେ ସ୍ୱାଗତ କରୁଛୁ । ଦୁଇ ଦେଶ ମଧ୍ୟରେ ଭିସା ପ୍ରକ୍ରିୟାକୁ ସରଳୀକରଣ କରିବା ନେଇ ମଧ୍ୟ ଆମେ ଆଲୋଚନା କରିଥିଲୁ । ଆମେ ଭାରତ ଏବଂ ଚିଲି ମଧ୍ୟରେ ଛାତ୍ର ବିନିମୟ ବୃଦ୍ଧି ଦିଗରେ କାର୍ଯ୍ୟ ଜାରି ରଖିବୁ ।
ମହାମହିମ,
ଆପଣଙ୍କ ଗସ୍ତ ଆମ ସମ୍ପର୍କରେ ନୂତନ ଶକ୍ତି ଏବଂ ଉତ୍ସାହ ଆଣିଛି । ଏହି ଶକ୍ତି ଆମର ଦ୍ୱିପାକ୍ଷିକ ସମ୍ପର୍କ ସହିତ ସମଗ୍ର ଲାଟିନ୍ ଆମେରିକୀୟ ଅଞ୍ଚଳରେ ଆମର ସହଯୋଗକୁ ନୂତନ ପ୍ରୋତ୍ସାହନ ଏବଂ ଦିଗ ପ୍ରଦାନ କରିବ ।
ଭାରତରେ ମୁଁ ଆପଣଙ୍କର ଏକ ସୁଖଦ ଯାତ୍ରା ଏବଂ ରହଣିର କାମନା କରୁଛି ।
ଆପଣଙ୍କୁ ବହୁତ ଧନ୍ୟବାଦ ।
ଗ୍ରାସିଆସ୍ !