ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡ଼ିଥାଏ । ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ । ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ’ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗିଦାରୀ ହୋଇପାରିବ । ତାହା ଭିତ୍ତିଭୂମି ବିକାଶ ହେଉ ବା ଶିକ୍ଷାଦାନ । ରାଜ୍ୟ ସରକାରଙ୍କ ଏହି କାର୍ୟ୍ୟକ୍ରମରେ ଦେଶ ବିଦେଶର ବହୁ ଓଡ଼ିଆ ସାମିଲ ହୋଇ ସେମାନେ ପଢ଼ିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୋଷ୍ୟ ସ୍କୁଲ ଗ୍ରହଣରେ ସାମିଲ ହୋଇଛନ୍ତି ଓଟିଡ଼ିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଶ୍ରୀମତୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନରେ ଅନୁପ୍ରାଣିତ ହୋଇ ବଲାଙ୍ଗିର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ଏହି ବିଦ୍ୟାଲୟରେ କିଭଳି ଭିତ୍ତିଭୂମିର ବିକାଶ ହୋଇପାରିବ ଏବଂ ଶିକ୍ଷାଦାନର ମାନ ଓ ପ୍ରକ୍ରିୟା କିଭଳି ଛାତ୍ରୀମାନଙ୍କ ପାଇଁ ଏକ ନୂଆ ଦିଶା ପ୍ରଦାନ କରିପାରିବ, ଏହା ଉପରେ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି । ସୂଚନା ରୁ ପ୍ରକାଶ ଯେ, ଶ୍ରୀମତୀ ମିଶ୍ର ଏହି ବିଦ୍ୟାଳୟରେ ପାଠ ପଢୁଥିଲେ ଆଉ ବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ବାତାବରଣର ବିକାଶ ପାଇଁ ସବୁବେଳେ ଆଗେଇ ଆସିଛନ୍ତି । ସେ ୨୦୧୮/୧୯ରେ ମଧ୍ୟ ନିଜ ସହପାଠୀ ତଥା ବିଦ୍ୟାଳୟର ପୁରାତନ ଛାତ୍ରୀଙ୍କ ସହ ମିଶି ବିଦ୍ୟାଳୟର ବିକାଶ ପାଇଁ ଅର୍ଥରାଶି ପ୍ରଦାନ କରିଥିଲେ ।

Leave A Reply

Your email address will not be published.