ନୂଆଦିଲ୍ଲୀ : ଶାହାଦରା ଜିଲ୍ଲାର ସେମାପୁରୀରେ ଅବସ୍ଥିତ ଏକ ଘରେ ପୋଲିସ ଯୌନ ବ୍ୟବସାୟ ଚାଲିଥିବା ଘଟଣା ପ୍ରକାଶ କରିଛି । ଏହି ଘଟଣାରେ ପୋଲିସ ଜଣେ ଯୁବକ ଏବଂ ଚାରିଜଣ ମହିଳାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ପ୍ରିନ୍ସ (୨୦), ଗ୍ୟାଙ୍ଗର ମୁଖ୍ୟ ୩୮ ବର୍ଷ ବୟସ୍କା ମହିଳା ଏବଂ ୨୦ରୁ ୩୦ ବର୍ଷ ବୟସ ତିନି ଜଣ ଯୁବତୀ ବୋଲି ଜଣାପଡିଛି । ନକଲି ଗ୍ରାହକ ପଠାଇ ପୋଲିସ ଅଭିଯୁକ୍ତକୁ ଧରିଥିଲା । ପୋଲିସ ସେମାନଙ୍କୁ ପଚରାଉଚରା କରୁଛି ଏବଂ ଜାଣିବାକୁ ଚେଷ୍ଟା କରୁଛି ଯେ, ଅଭିଯୁକ୍ତମାନେ କେତେ ଦିନ ଧରି ଏହି ର୍ୟାକେଟରେ ସମ୍ପୃକ୍ତ ଥିଲେ ।
ଶାହାଦରା ଜିଲ୍ଲା ପୋଲିସ ଡେପୁଟି କମିଶନର ଆର. ସତ୍ୟସୁନ୍ଦରମ୍ କହିଛନ୍ତି ଯେ, ରବିବାର ଦିନ ସେମାପୁରୀର ବି -୮୪/ଡ଼ି ଦିଲଶାଦ କଲୋନୀ ଘରେ ଦେହ ବ୍ୟବସାୟ ଚାଲିଥିବା ସୂଚନା ମିଳିଥିଲା । ଏହା ପରେ ଏକ ମିଳିତ ଦଳ ଗଠନ କରାଯାଇ ପୋଲିସକୁ ଦିଲଶାଦ କଲୋନୀ ସ୍ଥିତ ସେହି ଘରକୁ ପଠାଯାଇଥିଲା । ଏଠାରେ ଏକ ନକଲି ଗ୍ରାହକଙ୍କୁ ପଠାଇ ପ୍ରଥମେ ନିଶ୍ଚିତ କରାଯାଇଥିଲା । ନକଲି ଗ୍ରାହକ ସେହି ଘରେ ପହଞ୍ଚି କବାଟ ବାଡେଇଲେ । ସେଠାରେ ପ୍ରିନ୍ସ ନାମକ ଜଣେ ଯୁବକ ବାହାରକୁ ଆସିଲେ । ତାଙ୍କ ସହ କଥା ହେବା ପରେ ଅଭିଯୁକ୍ତ ଦୁଇ ହଜାର ଟଙ୍କା ଚୁକ୍ତି କରି ଘର ଭିତରେ ଥିବା ଯୁବତୀଙ୍କୁ ଡାକିଥିଲେ । ତା’ପରେ ଜଣେ ୩୮ ବର୍ଷ ବୟସ୍କା ମହିଳା ବାହାରିଥିଲେ ଓ ନକଲି ଗ୍ରାହକଙ୍କ ସାମ୍ନାରେ ତିନିଜଣ ଯୁବତୀଙ୍କୁ ଉପସ୍ଥାପନ କରିଥିଲେ ।
ନକଲି ଗ୍ରାହକ ସୂଚନା ଦେବା ପରେ ଘର ଉପରେ ଚଢ଼ାଉ କରାଯାଇ ପାଞ୍ଚଜଣଙ୍କୁ ଘଟଣାସ୍ଥଳରେ କାବୁ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ସେମାପୁରୀ ପୋଲିସ ଷ୍ଟେସନ ଘଟଣାର ତଦନ୍ତ କରୁଛି । ଯାଂଚ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ଯେଉଁ ଘରେ ସେକ୍ସ ର୍ୟାକେଟ୍ ଚାଲୁଥିଲା, ତାହା ହେଉଛି ର୍ୟାକେଟର ମୁଖ୍ୟ ମହିଳାଙ୍କ ଘର । ଏହା ବ୍ୟତୀତ ଯୁବତୀମାନେ ନୋଏଡା, ମୁସ୍ତାଫାବାଦ ଏବଂ ଯମୁନା ବିହାରର ବାସିନ୍ଦା । ଅଭିଯୁକ୍ତ ପ୍ରିନ୍ସ ମଧ୍ୟ ଦିଲଶାଦ କଲୋନୀରେ ରୁହନ୍ତି ।