ପରିତ୍ୟକ୍ତ ଚେକ ଡ୍ୟାମର ପୁନରୁଦ୍ଧାର ଏବଂ ସମ୍ପ୍ରସାରଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ ଦୁର୍ଗା ତନ୍ତୀ
ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ଷା ସମୟରେ ପାହାଡ଼ରୁ ନିର୍ଗତ ପାଣିର ପ୍ରଖର ସ୍ରୋତର ତାଣ୍ଡବରୁ ପାହାଡ଼ର ପାଦଦେଶରେ ବସବାସ କରୁଥିବା ଆବାଳ ବୃଦ୍ଧବନିତାଙ୍କୁ ରକ୍ଷା କରିବା ସହିତ ପାହାଡରୁ ନିର୍ଗତ ଜଳ ଏବଂ ବର୍ଷା ଜଳକୁ ସଂରକ୍ଷିତ କରି ଜଳସେଚନ ଯୋଜନା ମାଧ୍ୟମରେ ଆଖପାଖର ଚାଷଜମିକୁ ପାଣି ଯୋଗାଇ ଦେବା ପାଇଁ ଏକଦା ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅଧୀନରେ ଥିବା ରାମଯୋଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଥା ଓଡିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ବାଲିଆମ ଗ୍ରାମ ନିଜଟରେ ଥିବା ପାହାଡ଼ର ତଳେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚେକ ଡ୍ୟାମ ନିର୍ମାଣ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦାୟିତ୍ୱହୀନତା ଏବଂ କତ୍ର୍ତ୍ତବ୍ୟରେ ଅବହେଳା ଯୋଗୁଁ ଡ୍ୟାମର ରକ୍ଷଣାବେକ୍ଷଣ ନହେବା କାରଣରୁ ଆଜି ଏହି ଚେକ ଡ୍ୟାମଟି ପରିତ୍ୟକ୍ତ ଅବସ୍ଥାରେ ଅଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଥିଲା ତାହା ଫଳପ୍ରଦ ହେବାତ ଦୂରର କଥା ଏବଂ ଯେଉଁ ମାନଙ୍କ ପାଇଁ ହୋଇଥିଲା ସେମାନେ ଏହି ପ୍ରକଳ୍ପରୁ କୌଣସି ପ୍ରକାରର ସୁଫଳ ପାଇ ପାରୁନାହାନ୍ତି । ଏ ସମ୍ବନ୍ଧରେ ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସ୍ଥାନୀୟ ଅଞ୍ଚଳର ଦଳୀୟ କର୍ମୀ ଓ ଗ୍ରାମବାସୀଙ୍କ ସହ ଲାଠିକଟା ବିଡ଼ିଓ ମାନସ ସାହୁ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଙ୍ଗରେ ନେଇ ଗତ ୧୨ ଜାନୁଆରୀରେ ବାଲିଆମ ଗ୍ରାମରେ ଥିବା ସେହି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଉକ୍ତ ଚେକ ଡ୍ୟାମ ନିକଟକୁ ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ ସମୟରେ ଚେକ ଡ୍ୟାମର ସ୍ଥିତ ଏବଂ ଆଖପାଖ ଅଞ୍ଚଳର ସୁରକ୍ଷା ସହିତ ଅଂଚଳବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ଗୁରୁତ୍ୱ ସମ୍ବନ୍ଧରେ ସରକାରୀ ଅଧିକାରୀ ଓ ଗ୍ରସମବାସୀଙ୍କଠାରୁ ଜାଣିବା ପରେ ପରିତ୍ୟକ୍ତ ଚେକ ଡ୍ୟାମର କେବଳ ପୁନରୁଦ୍ଧାର ନୁହେଁ ଏହାର ସମ୍ପ୍ରସାରଣର ଆବଶ୍ୟକ ବୋଲି ଅନୁଭବ କରିଥିଲେ ଏବଂ ଏହି କଥାକୁ ନେଇ ଅତିଶୀଘ୍ର ସେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗ୍ରାମବାସୀଙ୍କୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ପ୍ରତିଶୃତି ଦେଇଥିଲେ । ଏହି କ୍ରମରେ ଗତକାଲି ଏକ ଦିନିକିଆ ଗସ୍ତରେ ରାଉରକେଲା ଆସିଥିବା ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତୀ ରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ରାଉରକେଲା ହାଉସରେ ସାକ୍ଷାତ କରି ଲାଠିକଟା ବ୍ଲକର ରାମଯୋଡି ଗ୍ରାମ ପଞ୍ଚାୟତର ବାଲିଆମ ଗ୍ରାମ ଠାରେ ଥିବା ତଥା ସମ୍ପ୍ରତି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଚେକ ଡ୍ୟାମର ପୁନରୁଦ୍ଧାର ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଚାଷ ଜମିକୁ ସେମାନଙ୍କର ଆବଶ୍ୟକତା ଅନୁସାରେ ଜଳସେଚନ ବ୍ୟବସ୍ଥା ନିମିତ୍ତ ସମ୍ପ୍ରସାରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଲିଖିତ ଭାବେ ଜଣାଇଛନ୍ତି । ବିଧାୟକଙ୍କଠାରୁ ଏହି ଯୋଜନା ସମ୍ବନ୍ଧରେ ଜାଣିବା ପରେ ମନ୍ତ୍ରୀ ଶ୍ରୀ ନାୟକ ବିଧାୟକଙ୍କ ପ୍ରସ୍ତାବକୁ ପ୍ରଶଂସା କରିବା ସହ ଗ୍ରାମାଞ୍ଚଳର ବିକାଶ ପାଇଁ ନିଶ୍ଚିତ ଭାବେରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବୋଲି କହିବା ସହିତ ସେଠାରେ ଉପସ୍ଥିତ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପ୍ରସ୍ତାବକୁ ଗମ୍ଭୀରତାର ବିଚାରକୁ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ରବିନାରାୟଣ ନାୟକ ନିର୍ଦେଶ ଦେଇଛନ୍ତି ।