ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଓଡ଼ିଶା ଦିବସ -୨୦୨୧ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହ ଠାରେ ଆୟୋଜିତ ଉତ୍ସବରେ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଓଡ଼ିଶା ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ପ୍ରଧ୍ୟାପକ ଡଃ ପ୍ରମୋଦ କୁମାର ପାଢ଼ୀ ଯୋଗଦାନ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୃଷ୍ଠଭୂମି ଏବଂ ଭାଷା ଆନ୍ଦୋଳନ ଉପରେ ତାଙ୍କର ମତାମତ ଉପସ୍ଥାପନ କରିବା ସହିତ ଓଡ଼ିଶାର କଳାସଂସ୍କୃତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ପଦ୍ମପୁର ଥାନାର ଆଇ.ଆଇ.ସି ମାନସ ରଞ୍ଜନ ପ୍ରଧାନ ଏବଂ ରାଜବୋଡାସମ୍ବର ବ୍ଲକ ଶିକ୍ଷାଧିକାରୀ ତ୍ରୀବିକ୍ରମ ପାଣିଗ୍ରାହୀ ଏହି ଉତ୍ସବରେ ଯୋଗଦେଇ ଓଡ଼ିଶା ଦିବସର ମହନୀୟତା, ଭାଷା ସାହିତ୍ୟର ସୁରକ୍ଷା ଉପରେ ତାଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସଭାପ୍ରାରମ୍ଭେ ଓଡ଼ିଶାର ବରପୁତ୍ରମାନଙ୍କର ଫଟୋଚିତ୍ରରେ ମୁଖ୍ୟଅତିଥି ଶ୍ରୀମାନ ଦରୱାନ ତଥା ଉପସ୍ଥିତ ଅତିଥି ବୃନ୍ଦଙ୍କ ଦ୍ୱାରା ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମାନ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚିତ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସଭା ଶେଷରେ ସାଂସ୍କୃତିକ ଅନୁଷ୍ଠାନ ଅବର୍ଣିଗୁଡାର ସମ୍ପାଦକ ନାଟ୍ୟ ରଶ୍ମି ଅଶୋକ ବହିଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ୱେଚ୍ଛାସେବୀ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ନାଗରିକ କମିଟିର ସଦସ୍ୟ ବୃନ୍ଦ, ଅନେକ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ସାମ୍ବାଦିକ ପ୍ରଶନ୍ନ ମହାନନ୍ଦ ସ୍ବରଚିତ ଏକ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରତ୍ୟୁଷରେ ସହରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ପଦ୍ମପୁର ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ଏବଂ ତାଙ୍କ କର୍ମଚାରୀ ତଥା ଉପଖଣ୍ଡ ପ୍ରଶାସନ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା । ଓଡିଶା ଦିବସ ପାଳନ ଅବସରରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଏବଂ ସିଭିଲ କୋର୍ଟ ବିଲଡିଙ୍ଗକୁ ଦୁଇ ଦିନ ଧରି ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।
Prev Post
Next Post