ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ବଲାଙ୍ଗିର ପରିସରରେ ଆଜି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରୁଣୀ ସୁନା, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ପଦ୍ମିନୀ ସାହୁ ଏବଂ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ସମା ଓରାମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୬୬୮ ଜଣ ଚାକିରି ଆଶାୟୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ୯ ଜଣ ପ୍ରାର୍ଥୀଙ୍କୁ ତୁରନ୍ତ ନିଯୁକ୍ତି ପତ୍ର ଏବଂ ୧୨ ଜଣ ନାନୋ ୟୁନିକର୍ଣ୍ଣ ହିତାଧିକାରୀଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ବଣ୍ଟନ କରାଯାଇଥିଲା । ମୁଖ୍ୟ ଅତିଥି ସମସ୍ତ ଷ୍ଟଲ୍ଗୁଡ଼ିକୁ ପରିଦର୍ଶନ ପୂର୍ବକ ଆଶାୟୀମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କୁ ପ୍ରେରଣା ଦେଇଥିଲେ । ଆତିଥ୍ୟ, ସ୍ୱାସ୍ଥ୍ୟସେବା ସେବା, ଆର୍ଥିକ ସେବା, ଉତ୍ପାଦନ ଏବଂ ଅନ୍ୟାନ୍ୟ ବୃତ୍ତିଗତ କ୍ଷେତ୍ରରୁ ମୋଟ ୨୨ ଟି ଘରୋଇ ନିଯୁକ୍ତିଦାତା ବିଭିନ୍ନ ଚାକିରି ପ୍ରଦାନ କରିବାକୁ ଆସିଥିଲେ । ସେହିପରି ଜିଲ୍ଲାରେ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ପାଇଁ ୧୦ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଜ୍ୟୋତିପ୍ରକାଶ ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରିଣୀ ପଦ୍ମିନୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Next Post