- ସ୍ଥାନୀୟ ଛାତ୍ର ଛାତ୍ରୀଙ୍କୁ ନାମଲେଖା ପାଇଁ ୫୦% ସଂରକ୍ଷଣ ଦାବୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଏକ ପୁରୁଣା ସହର । ଏକଦା ଏଠାରେ ଶିକ୍ଷା ବ୍ୟବସ୍ଥା ଅନ୍ୟ ଅଞ୍ଚଳ ଅପେକ୍ଷା ଉନ୍ନତମାନର ଥିଲା । କିନ୍ତୁ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟପର୍ଯ୍ୟସ୍ତ । ଜୁଲାଇ ୧୯୪୪ ମସିହାରେ ଖୋଲିଥିବା ରାଜେନ୍ଦ୍ର କଲେଜ, ବହୁ ବର୍ଷ ପରେ ଡିସେମ୍ବର ୨୦୧୯ରେ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇ ଉନ୍ନତିକରଣ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଏହି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ୧୨୬ଟି ଅଧ୍ୟାପକ ପଦବୀରୁ ମାତ୍ର ୨୧ ଜଣ ଅଛନ୍ତି ଏବଂ ୧୫୦ ଜଣ ଅଣ ଶିକ୍ଷକ ପଦରୁ ମାତ୍ର ୯ ଜଣରେ କାମ ଚଳାଉଛନ୍ତି । ଆଗରୁ ଭାଇସ ଚାନସେଲରମାନଙ୍କର ନିଯୁକ୍ତି କ୍ଷମତା ଥିଲା କିନ୍ତୁ ୨୦୧୯ରୁ ଏହି କ୍ଷମତା ସରକାର ପ୍ରତ୍ୟାହୃତ କରିବା ଫଳରେ ରାଜ୍ୟରେ କେବଳ ଏହି ବିଶ୍ୱ ବିଦ୍ୟାଳୟରେ ବିଭିନ୍ନ ପଦବୀକୁ ପୂରଣ କରାଯାଇପାରୁନାହିଁ । ଫଳରେ ଏଠାରେ ଘୋର ଆଂଚଳିକ ବୈଷମ୍ୟ ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ପଶ୍ଚିମ ଓଡିଶା ଏକ ଅନ୍ୟତମ ପୁରାତନ ମହିଳା ମହାବିଦ୍ୟାଳୟ ଯାହାକି ୧୯୬୨ ମସିହାରେ ଖୋଳାଯାଇଥିଲା ତାର ମଧ୍ୟ ଅବସ୍ଥା ସାଂଘାତିକ । ଏଠାରେ ୨୩ ଜଣ ଅଧ୍ୟାପକ ମଧ୍ୟରୁ କେବଳ ୮ଜଣରେ କାମ ଚଳାଯାଉଛି । ସେହିପରି ୨୦୧୫ରୁ ଖୋଲାଯାଇଥିବା ମହିଳା ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ଗୋଟିଏ ମଧ୍ୟ କର୍ମଚାରୀ ଏ ପର୍ଯ୍ୟନ୍ତ ନିଯୁକ୍ତି ହୋଇନାହାନ୍ତି । ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଦେଖାଣିଆ ଭାବେ ଅତିଥି ଶିକ୍ଷକମାନଙ୍କ ଦ୍ୱାରା ପାଠପଢା ଯାଉଛି । ସେହିପରି କଲେଜ ଅଧିନରେ ବର୍ତ୍ତମାନ ୪୨ ଏକର ଜମି ଥିବା ବେଳେ ଅବଶିଷ୍ଟ ୬୦ ଏକରରୁ ଅଧିକ ଜବରଦଖଲରେ ଥିବାରୁ କଲେଜ ନାଁରେ ପାର୍ଚ୍ଚା କିମ୍ବା ସରକାରୀ ମାନଚିତ୍ରଟିଏ ମଧ୍ୟ ନାହିଁ । ଏ ସମ୍ବନ୍ଧରେ ବଲାଙ୍ଗିର ନାଗରିକ କମିଟି ତରଫରୁ ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହାସଚିବ, ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ, ସମସ୍ତ ବଲାଙ୍ଗିର ଜିଲ୍ଲାର ବିଧାୟକ ତଥା ସାଂସଦ ପ୍ରମୁଖ ମାନଙ୍କୁ ଉକ୍ତ ସମସ୍ୟା ସମାଧାନ ପାଇଁ ଚିଠି ଲେଖାଯାଇଛି । ଆହୁରି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀରେ ସ୍ଥାନୀୟ ଛାତ୍ର ଛାତ୍ରୀମାନଙ୍କୁ ୫୦% ନାମଲେଖା ପାଇଁ ସଂରକ୍ଷଣ ବ୍ୟବସ୍ଥା ଦାବୀ କରିଛି । ଫଳରେ ଭବିଷ୍ୟତରେ ଏ ଅଂଚଳରୁ ଅଧ୍ୟାପକ ତଥା ଶିକ୍ଷିତ ଛାତ୍ର ଛାତ୍ରୀ ସୃଷ୍ଟି ହେଲେ, ଅଧ୍ୟାପକ ପଦବୀ ପୁରଣ କରିବାରେ ସାହାଯ୍ୟ କରିବ ବୋଲି ନାଗରିକ କମିଟି ତରଫରୁ ସଭାପତି ଇଂ ବେଲାର ସିଂ ଭୋଇ ଓ ସାଧାରଣ ସଂପାଦକ ମନୋରଂଜ ସାହୁ ପ୍ରକାଶ କରି ଦାବୀ ଉପସ୍ଥାପନ କରିଛନ୍ତି ।