- ଡେଙ୍ଗପଦର ୟୁପି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସସପେଣ୍ଡ, ୩ପାଚିକା ବହିଷ୍କୃତ
- ସ୍କୁଲରେ ତାଲା ପକାଇ ଗ୍ରାମବାସୀଙ୍କ ପ୍ରତିବାଦ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ମଧ୍ୟାହ୍ନ ଭୋଜନର ଅଣ୍ଡା ତରକାରୀରେ ପାଚିକା ଲୁଣ ପକାଇବା ବଦଳରେ ସର୍ଫ (ଡିଟରଜେଣ୍ଟ) ପାଉଡର ପକାଇ ଦେଇଥିବା ଅଭିଯୋଗ ହୋଇଥିଲା । ଟିଟିଲାଗଡ ମେଡିକାଲରେ ଭର୍ତ୍ତି ହୋଇଥିବା ସମସ୍ତ ଗୁରୁତର ଛାତ୍ରଛାତ୍ରୀ ସୁସ୍ଥ ହେବା ପରେ ସମସ୍ତଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା । ରବିବାର ଅପରାହ୍ନରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଗାଁକୁ ପହଞ୍ଚି ମେଡ଼ିକାଲରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଗ୍ରାମବାସୀ ବିଧାୟକଙ୍କୁ ଘଟଣା ପାଇଁ ଦାୟୀ ସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବଦଳି ଓ ପାଚିକାମାନଙ୍କୁ ବହିଷ୍କାର ଦାବୀ କରିଥିଲେ । ଉତ୍ୟକ୍ତ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଦାବୀ ଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଖବର ପାଇ ମାଲିଶିରା ସରପଞ୍ଚ ଦେବରାଜ ପାତ୍ର, ଏବିଇଓ କାନ୍ତାରାମ ଧରୁଆ ଓ ମୁରିବାହାଲ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ସ୍କୁଲ କାର୍ଯ୍ୟରେ ଗୁରୁତର ଅବହେଳା ଓ ମଧ୍ୟାହ୍ନ ଭୋଜନରେ ଅନିୟମିତା ଅଭିଯୋଗରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ମହାଡିକଙ୍କୁ ଚାକିରୀରୁ ସସପେଣ୍ଡ କରାଯାଇଥିଲା । ସସ୍ପେଣ୍ଡ ସମୟରେ ସେ ବିଇଓ ଅଫିସରେ ପ୍ରତିଦିନ ହାଜିରା ଦେବେ ବୋଲି ବିଇଓ ଶାନ୍ତନୁ କୁମାର ପଢ଼ିହାରୀ ସୂଚନା ଦେଇଥିଲେ । ତାଙ୍କ ସ୍ଥାନରେ ସ୍କୁଲର ବରିଷ୍ଠ ସହକାରୀ ଶିକ୍ଷକ ମନୋରଞ୍ଜନ ପ୍ରଧାନଙ୍କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରୂପେ ନିଯୁକ୍ତି ଦିଆଯାଇଥିଲା । ସେହିପରି ସ୍କୁଲରେ ନିୟୋଜିତ ୩ଜଣ ପାଚିକା ତୁରାନ ରତେଇ, ଘସେନ ରତେଇ ଓ ଛାୟାମତି ଜାନୀଙ୍କୁ ବହିଷ୍କାର କରାଯାଇଥିଲା । ସେମାନଙ୍କ ସ୍ଥାନରେ ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିକୁ ନୂତନ ପାଚିକା ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ନୂତନ ପାଚିକା ନିଯୁକ୍ତି ପାଇଁ ଗ୍ରାମରେ ନୋଟିସ କରାଯାଇଥିଲା । ଦାବିଗୁଡିକ ପୂରଣ ହେବା ପରେ ସ୍କୁଲରୁ ତାଲା ଖୋଲାଯିବା ସହ ପାଠପଢ଼ା ସ୍ଵାଭାବିକ ହୋଇଥିଲା । ସ୍କୁଲରେ ତାଲା ପକାଇବା ବେଳେ ଗ୍ରାମର ସମସ୍ତ ଅଭିଭାବକ, ସ୍କୁଲ ପରିଚାଳନା କମିଟି ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।