ls

ବଲାଙ୍ଗିର ସହରରେ ସପ୍ତାହନ୍ତ ଲକଡାଉନ : ଚିନ୍ତାରେ ଖଟିଖିଆ, ଯାତ୍ରୀ ହନ୍ତସନ୍ତ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ନିୟମାନୁସାରେ ବଲାଙ୍ଗିର ଜିଲ୍ଲା ପ୍ରସାଶନ ତରଫରୁ ସପ୍ତାହନ୍ତ ଦୁଇ ଦିନ ଲକ୍‌ଡାଉନ ଘୋଷଣା କରାଯାଇଛି । ଲକଡାଉନ୍‌ ଯୋଗୁଁ ଦିନ ମଜୁରିଆ ଓ ଖଟିଖିଆ ଚିନ୍ତାରେ ଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖା ଯାଇଛି । ଲକ୍‌ଡାଉନ୍‌ରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ସାଧାରଣ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି । ଛତିଶଗଡ ଓ ଝାରଖଣ୍ଡ ବିଶେଷ ଭାବେ କରୋନା ଦ୍ୱାରା ପ୍ରଭାବିତ ହୋଇଛି । ଏହି ରାଜ୍ୟମାନଙ୍କ ସହିତ ଅଂଚଳର ସମାଜିକ ଏବଂ ଅର୍ଥନୈତିକ ସଂପର୍କକୁ ନଜରରେ ରଖି ରାଜ୍ୟ ସରକାର ୧୦ଟି ସୀମାନ୍ତବର୍ତ୍ତି ଜିଲ୍ଲାକୁ ସପ୍ତାହନ୍ତ ଲକଡାଉନ କରିବା ସହ ନାଇଟ କର୍ଫ୍ୟୁର ସମୟ ସନ୍ଧ୍ୟା ୬ରୁ ଭୋର୍‌ ୫ଟା ପର୍ୟ୍ୟନ୍ତ କରିଛନ୍ତି । ଲକଡାଉନ ଘୋଷଣା ପ୍ରସାରିତ ହେବା ପରେ ଶୁକ୍ରବାର ସଂନ୍ଧ୍ୟାରେ କର୍ଫ୍ୟୁ କୁ ନେଇ ଲୋକଙ୍କ ମଧ୍ୟରେ ଅନିଶ୍ଚିତତା ପ୍ରକାଶ ପାଇଥିଲା । ଏଭଳି ସ୍ଥିତିରେ ଆଖପାଖ ଗାଁରୁ ଲୋକେ ବଲାଙ୍ଗିର ଆସିବା ବନ୍ଦ କରି ଦେଇଥିଲେ । ଆଜି ସକାଳୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କ୍ଷୀର ଦୋକାନ, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକୀୟ ସେବା ଓ ସାମଗ୍ରୀକୁ ଏଥିରୁ ବାଦ ଦିଆଯାଇଛି । ସହରର ମୁଖ୍ୟ ରାସ୍ତାମାନ ନିର୍ଜନ ଜଣା ପଡୁଥିବା ବେଳେ ଗଳିକନ୍ଦିର ଅବସ୍ଥା ଅନେକାଂଶରେ ପୁର୍ବବତ୍‌ ରହିଛି । ତେବେ ପୁଣି ଲକଡାଉନ ଦିନ ମଜୁରିଆ ଓ ଖଟିଖିଆଙ୍କୁ ଚିନ୍ତାରେ ପକାଇଛି । ଗତ ବର୍ଷ ସାରା ଲକଡାଉନ ଓ ସଟଡଉନର ମାଡରେ ଏମାନଙ୍କ ଆର୍ଥକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । କିଛି ଦିନ ହେଲା ସ୍ଥିତି ସୁଧୁରିବାକୁ ବସୁୁଥିଲା । ଠିକ୍‌ ଏତିକି ବେଳେ ପୁଣି ଲକଡଉନ ଘୋଷଣା ଏମାନଙ୍କୁ ଚିନ୍ତାରେ ପକାଇଛି । ଆଜି ଶନିବାର ସପ୍ତାହ ଯାକ ଖଟଣିର ପ୍ରାପ୍ୟ ପାଇବାର ଦିନ । କିନ୍ତୁ ଲକଡାଉନ ତାହା ବି ତାଙ୍କଠୁ ଛଡାଇ ନେଇଛି । ଏପରି ସ୍ଥିତିରେ ସେମାନେ ନିଜର ଭରଣ ପୋଷଣ କିପରି କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେହିପରି ଲକଡଉନ ଯୋଗୁଁ କାଁ ଭାଁ ବସ ମଟର ଚାଲୁ ଥିବା ବେଳେ ଯାତ୍ରୀମାନେ ହଇରାଣର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଆଜିର ଲକଡାଉନ ସଫଳ ହୋଇଥିବା ଜଣା ପଡୁଥିବା ବେଳେ ଆଉ ଦିନେ ଲକଡଉନ ବାକି ରହିଛି । ସୋମବାରରୁ ସହରରେ ସନ୍ଧ୍ୟା ୬ରୁ ଭୋର୍‌ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର କରାଯିବା ନେଇ ସୂଚନା ରହିଛି ।

pc pk
Leave A Reply

Your email address will not be published.