ଆବର୍ଜନାମୟ କନ୍ଧପାଲିପଡା ପୋଖରୀ : ଦୃଷ୍ଟିନାହିଁ ପ୍ରଶାସନର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଛୋଟ ବଡ ହୋଇ ପ୍ରାୟ ୨୭ଟି ପଖୋରୀ ରହିଛି । ଲୋକମାନଙ୍କ କହିବାନୁସାରେ ଏହି ସହରରେ ଥିବା ୨୭ଟି ଜଳାଶୟ ମଧ୍ୟରୁ କନ୍ଧପାଲି ପଖୋରୀ ହେଉଛି ସବୁ ପୋଖରୀଠାରୁ ବଡ, ଯାହାର ୩୬ ଏକର ସ୍ଥାନରେ ରହିଛି । ପୂର୍ବରୁ ଏହି ଜଳାଶୟକୁ ସହରର ଅଧିକାଂଶ ଲୋକେ ଗାଧୋଇବାକୁ ଆସୁଥିଲେ । ପୁଣି ଏଠାକାର ପାଣିକୁ ଲୋକେ ପିଇବା ପାଣି ବ୍ୟବହାର କରୁଥିଲେ । କନ୍ଧପାଲିପଡାରେ ଥିବା ବରିଷ୍ଠ ବ୍ୟକ୍ତିଙ୍କ ଠାରେ ଶୁଣିବାକୁ ମିଳେ ସେ ସମୟରେ ବଲାଙ୍ଗିର ଜେଲରେ ରହୁଥିବା କଏଦୀମାନେ ମଧ୍ୟ ଏଠାକୁ ଗାଧୋଇବା ପାଇଁ ଆସୁଥିଲେ । ବର୍ତ୍ତମାନ କିନ୍ତୁ ଏ ଜଳାଶୟ ଅବସ୍ଥା କହିଲେ ନସରେ । ସଂପୂର୍ଣ୍ଣ ଆବର୍ଜନାମୟ ହୋଇ ପଡ଼ିରହିଛି ପୋଖରୀ । ଜଳାଶୟ ନୁହେଁ ପଦ୍ମପତ୍ର ଚାଷ ଜମି କହିଲେ ବି ଅତ୍ୟୁକ୍ତି ହେବନାହିଁ । ଜଳାଶୟ ପାଖରେ ଥିବା ପଡ଼ା ଗୁଡ଼ିକର ଡ୍ରେନ ପାଣି ଆସି ସବୁଯାକ ଜଳାଶୟରେ ପଶୁଛି । ଯାହାଫଳରେ ଲୋକେ ସଂପୃକ୍ତ ଜଳାଶୟର ପାଣିକୁ ପାଟିରେ ଦେବା ତ’ ଦୂର କଥା, ଏଠାରେ ଗାଧୋଇବାକୁ ବି ଡରିଲେଣି । କାରଣ ବଭିନ୍ନ ରୋଗର ଗନ୍ତାଘର ହେବାକୁ ବସିଲାଣି ଏହି ପୋଖରୀ । ଆଖପାଖ ଅଂଚଳର ଡ୍ରେନେଜ୍‌ ଅବ୍ୟବସ୍ଥା ଏବଂ ଜଳାଶୟର ପରିପୂର୍ଣ୍ଣ ପଦ୍ମପତ୍ର ଏହି ପୋଖରୀକୁ ଆବର୍ଜନାମୟ କରି ସାରିଲାଣି । ପଡାବାସୀ ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇ ସାରିଥିବା କହିଛନ୍ତି । କେବଳ ଜଳାଶୟରେ ଥିବା କିଛିଟା ଘାଟ ନିର୍ମାଣ କରି ପ୍ରଶାସନ ବି ଚୁପ୍‌ ବସିଛି ବୋଲି ଅଂଚଳବାସୀ କହିଛନ୍ତି । ତେଣୁ ଏହି ଜଳାଶୟକୁ ଯଥାଶୀଘ୍ର ଦୃଷ୍ଟି ଦେଇ ଏହାର ଉନ୍ନତିମୂଳକ କାମ କରାଯାଉ ବୋଲି ଅଂଚଳବାସୀ ପ୍ରଶାସନ ପାଖରେ ଦାବୀ କରିଛନ୍ତି ।

Leave A Reply

Your email address will not be published.