- ଯାତ୍ରୀବାହୀ ବସ୍ରୁ ବି ବାହାରିଲା ଗଞ୍ଜେଇ
- ପୁଲିସର ତଦନ୍ତ ଜାରି
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଭୁତିଆରବାହାଲ ରାସ୍ତା ଦେଇ ବେଆଇନ ଭାବରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ଚଢ଼ାଉ କରି ଗଞ୍ଜେଇ ଓ ବାଇକ୍କୁ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ ହୋଇଥିବା ଜଣାପଡିଛି । ଗିରଫ ବ୍ୟକ୍ତି ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଲର ମହାଦେବ ମଲ୍ଲିକ ବୋଲି ଜଣାପଡିଛି । ବନ୍ଧପଡ଼ା-ଭୁତିଆରବାହାଲ ରାସ୍ତାର ଫପସି ଛକରେ ଏକ ବାଇକ୍ ଚାଳକଙ୍କୁ ସନ୍ଧେହ କରି ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ କରିବା ପରେ ବାଇକ ଡିକିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ପୁଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜବତ ହୋଇଥିବା ଗଞ୍ଜେଇକୁ ମାପିବାରୁ ତାହା ୫ କେଜି ହୋଇଥିଲା । ଏନେଇ ପୁଲିସ କେଶ ନମ୍ବର ୨୫୪ରେ ଏକ ମାମଲା ରୁଜୁ କରି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଟିକ୍ରାପଡ଼ା-ବଲାଙ୍ଗିର ଭାୟା ବନ୍ଧପଡ଼ା ଦେଇ ଚାଲୁଥିବା ଗୁରୁ ନାମକ ଏକ ଯାତ୍ରୀବାହୀ ବସ୍ରେ ଜଣେ ଯାତ୍ରୀ ଗଞ୍ଜେଇ ଚାଲାଣ କରୁଥିବାର ଖବର ପାଇ ଦେଓଗାଁ ପୁଲିସ ଚଢ଼ାଉ କରି ଗଞ୍ଜେଇ ଚାଲାଣକାରୀକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରି ତଦନ୍ତ ଜାରି ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଏଣୁ ଏଦିଗରେ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।