oom

ବଜାର ଖାଲି କରିବାକୁ ଯାଇ ହରଡ଼ଘଣାରେ ପ୍ରଶାସନ: ନିର୍ବାକ ହୋଇ ମୁଣ୍ଡ ଆଉଁସି ଫେରିଲେ

jsmm

ଟିଟିଲାଗଡ଼, (ଗୌରବ ଦର୍ଜୀ) :
ଟିଟିଲାଗଡ ପ୍ରଶାସନ ବର୍ତ୍ତମାନ ଜୋର୍ ଯାର୍ ମୂଲକ୍ ତାର୍ ନୀତିରେ କାମ କରୁଛି । ନା କୌଣସି ସୂଚନା, ନା କୌଣସି ନୋଟିସ ଦେଇ ପହଞ୍ଚିଯାଉଛି ବିଭିନ୍ନ ସ୍ଥାନରେ ଉଚ୍ଛେଦ କରିବାକୁ । ଟିଟିଲାଗଡ ସହର ଏକ ଶାନ୍ତିପ୍ରିୟ ସହର ଭାବେ ରହୁଥିବାରୁ କେତେକାଂଶରେ ଲୋକେ ପ୍ରଶାସନକୁ ଇଚ୍ଛା ନ ଥାଇ ମଧ୍ୟ ସହଯୋଗ କରିବା ପାଇଁ ବାଧ୍ୟ ହେଉଛନ୍ତି । ଆଉ କେତେକାଂଶରେ ପ୍ରଶାସନର ନାଲି ଆଖିକୁ ପ୍ରତିବାଦ କରୁଛନ୍ତି । ଯାହାର ନଗ୍ନ ନମୂନା ଆଜି ଦେଖିବାକୁ ମିଳିଥିଲା ଟିଟିଲାଗଡ ବଜାରରେ । ପୂର୍ବରୁ କୌଣସି ସୂଚନା ନ ଦେଇ ଆଜି ଟିଟିଲାଗଡର ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଟିଟିଲାଗଡ ପୋଲିସ ଫୋର୍ସକୁ ଧରି ପହଞ୍ଚିଥିଲେ ଟିଟିଲାଗଡ ସାପ୍ତାହିକ ବଜାର ପ୍ରାଙ୍ଗଣରେ । ଟିଟିଲାଗଡ ସହରର ରେଲୱେ ଫାଟକର ଅପର ପାର୍ଶ୍ଵରେ ରହିଛି ହାଟପଦାପଡା । ଗତ ଦଶନ୍ଧି ଦଶନ୍ଧି ଧରି ଏହି ହାଟପଦାପଡାରେ ବସୁଛି ସାପ୍ତାହିକ ବଜାର । ମୁଖ୍ୟତଃ ଶନିବାର ଓ ବୁଧବାର ଦୁଇ ଦିନ ଧରି ସାପ୍ତାହିକ ବଜାର ବସୁଥିବା ବେଳେ ଅନ୍ୟ ସମସ୍ତ ଦିନରେ ମଧ୍ୟ ବଜାର ଖୋଲା ଯାଇଥାଏ । ଏହି ବଜାର ଉପରେ ଟିଟିଲାଗଡ ସହର ସମେତ ଟିଟିଲାଗଡ ବ୍ଲକ, ବଙ୍ଗୋମୁଣ୍ଡା ବ୍ଲକ, ମୁରିବାହାଲ ବ୍ଲକ, କଳାହାଣ୍ଡି ଜିଲ୍ଲା, ନୂଆପଡ଼ା ଜିଲ୍ଲା ସହ ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ବ୍ୟବସାୟୀମାନେ ମଧ୍ୟ ନିର୍ଭର କରିଥାନ୍ତି । ଏହି ବଜାରରେ ଛୋଟ ଛୋଟ ବ୍ୟବସାୟୀକୁ ନେଇ ଚାଷୀ ଏବଂ ବିଭିନ୍ନ ଉତ୍ପାଦନକାରୀ ସଂସ୍ଥା ମଧ୍ୟ ନିର୍ଭର କରିଥାନ୍ତି । ଏହି ବଜାରରୁ ଟିଟିଲାଗଡ ପୌର ପରିଷଦ ବାର୍ଷିକ ପନ୍ଦରରୁ କୋଡ଼ିଏ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରିଥାଏ । କିନ୍ତୁ ଆଜି ସକାଳ ଆଠଟାରୁ ଦଶ ଘଂଟା ମଧ୍ୟରେ ପୌର ପରିଷଦ ସମସ୍ତ ଦୋକାନୀ ବ୍ୟବସାୟୀ ଚାଷୀଙ୍କ ଠାରୁ କର ଆଦାୟ କରିବା ପରେ ପନ୍ଦର ମିନିଟ ମଧ୍ୟରେ ବଜାରକୁ ବନ୍ଦ କରିବା ପାଇଁ ତାଗିଦ୍ କରିବା ବିଷୟ ବେଶ୍ ଚର୍ଚ୍ଚାର ବିଷୟ ସାଜିଥିଲା । ବଜାରର ପୁନଃ ଉଦ୍ଧାର କରାଯିବାକୁ କହି ପନ୍ଦର ମିନିଟ ମଧ୍ୟରେ ସମସ୍ତ ଉଠା ଦୋକାନୀ, ପରିବା ବେପାରୀ, ଫଳ ବ୍ୟବସାୟୀ, ତେଜରାତି ଦୋକାନୀ ସହ ସମସ୍ତଙ୍କୁ ଖାଲି କରିବା ପାଇଁ ବଳ ପୂର୍ବକ ପୋଲିସ ବାହିନୀ ସହ ତାଗିଦ୍ କରିଥିବା ବେଳେ ଏହାକୁ ନେଇ ବଜାର ବ୍ୟବସାୟୀମାନେ ତୀବ୍ର ବିରୋଧ କରିଥିଲେ । ଆଗୁଆ କୌଣସି ସୂଚନା ନ ଦେଇ, କୌଣସି ନୋଟିସ ନ ଦେଇ କିଭଳି ବଜାରକୁ ପନ୍ଦର ମିନିଟ ମଧ୍ୟରେ ଖାଲି କରିବାକୁ କୁହାଯାଉଥିବାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ କରିଥିଲେ । ଏବଂ ପୂର୍ବରୁ ସୂଚନା ଦେଇ ଖାଲି କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ଯାହାକୁ ନେଇ ବଜାର ପରିସର ରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଲୋକଙ୍କ ଅଭିଯୋଗକୁ ହୃଦୟଙ୍ଗମ କରି ପ୍ରଶାସନ ନିଜର ବ୍ୟବହାରରେ ପରିବର୍ତନ କରିଥିଲା ଏବଂ ଆଗାମୀ ଦିନରେ ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପାଇଁ କହିଥିଲା । ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା ଲୋକେ କହୁଥିଲେ ଯେ ବାହାସ୍ଫୋଟ ମାରି ଆସିଥିବା ପୋଲିସ ସହ ପ୍ରଶାସନ ମୁଣ୍ଡ ଆଉଁସି ନୀରବ ହୋଇ ଫେରିଥିଲା । ଏବେ ଚର୍ଚ୍ଚା ସହରରେ ଜୋରଜାର ମୁଲକ୍ ତାର୍ ।

jittmm
Leave A Reply

Your email address will not be published.