ବିଶ୍ୱ ଲୁଣା ଜଙ୍ଗଲ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୬ରେ ‘ବିଶ୍ୱ ଲୁଣା ଜଙ୍ଗଲ ଦିବସ’ ବା ‘ଆନ୍ତର୍ଜାତୀୟ ଲୁଣା ଜଙ୍ଗଲ ଦିବସ’ ପାଳନ କରାଯାଏ । ଏହାକୁ ହେନ୍ତାଳ ବା ସୁନ୍ଦରୀ ବନ ଦିବସ ବୋଲି ମଧ୍ୟ କୁହାଯାଇପାରିବ । ମେନଗୃଭ ବା ଲୁଣା ଜଙ୍ଗଲ ଉଦ୍ଭିଦ ହେଉଛି ଏକ ପ୍ରକାର ଗ୍ରୀଷ୍ମ ମଣ୍ଡଳୀୟ ଉଦ୍ଭିଦ ଯାହା ସମୁଦ୍ର ଉପକୂଳରେ ଫୁସ୍‌ଫୁସିଆ, ଓଦା ମାଟି, ଲୁଣିଆ ପାଣିରେ ବଢେ ଏବଂ ସାମୟିକ ଭାବରେ ଜୁଆର ଦ୍ୱାରା ଜଳମଗ୍ନ ହୁଏ । ସେଗୁଡିକ ଉଚ୍ଚ ଲବଣାକ୍ତ ଜଳ, ଜୁଆର ବନ୍ୟା ଏବଂ ଅପେକ୍ଷାକୃତ କମ୍ ଅମ୍ଳଜାନ ସ୍ଥିତିକୁ ସହ୍ୟ କରିପାରନ୍ତି । ସମଗ୍ର ବିଶ୍ୱରେ ୧୦୦ରୁ ଅଧିକ ଜାତିର ଲୁଣା ଜଙ୍ଗଲ ଉଦ୍ଭିଦ ଦେଖିବାକୁ ମିଳିଥିବାବେଳେ ଭାରତରେ ଏହା ପ୍ରାୟ ୬୦ ଜାତି ଅଟେ । ୧୯୮୦ ପରଠାରୁ, ଆମେ ଅଧା ଲୁଣା ଜଙ୍ଗଲ ହରେଇ ବସିଛୁ । କେତେକ ଦେଶ ଏହା ୮୦ ଶତାଂଶ ଠାରୁ ଅଧିକ ହରାଇଛନ୍ତି । ଏହି ଉଦ୍ଭିଦଗୁଡିକର ମୂଳ ଶକ୍ତ ଏବଂ ଏହା ଏଭଳି ଦୃଢ ଭାବରେ ଭୂମିରେ ସ୍ଥାନିତ ହୋଇଥାଏ ଯେ, କଠିନ ଜୁଆର ତରଙ୍ଗକୁ ମଧ୍ୟ ପ୍ରତିରୋଧ କରିବାରେ ସକ୍ଷମ ହୋଇଥାଏ । ଏହା ମାଛ, କଙ୍କଡା, ଚିଙ୍ଗୁଡ଼ି ଭଳି ଅନେକ ଜଳଚର ଜୀବଙ୍କ ପାଇଁ ଏକ ସମୃଦ୍ଧ ବାସସ୍ଥାନ ଯୋଗାଇଥାଏ । ଲୁଣା ଜଙ୍ଗଲ ପରିସଂସ୍ଥା ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଉପକୂଳବର୍ତ୍ତୀ ମୃତ୍ତିକା କ୍ଷୟକୁ ରୋକିଥାଏ, ଜୁଆର ଏବଂ ସୁନାମିର ପ୍ରଭାବକୁ ହ୍ରାସ କରିଥାଏ ଏବଂ ଉତ୍ତାପ ସୃଷ୍ଟି କାରୀ ବାୟୁମଣ୍ଡଳୀୟ ପ୍ରଦୂଷିତ କାର୍ବନ ବା ଅଙ୍ଗାରକାମ୍ଳକୁ ଶୋଷଣ କରିଥାଏ । ଜୁଲାଇ ୨୬ରେ ପାଳନ କରାଯାଉଥିବା ବିଶ୍ଵ ଲୁଣା ଜଙ୍ଗଲ ଦିବସ ବିଷୟରେ, ୟୁନେସ୍କୋ ଦ୍ଵାରା ୨୦୧୫ର ସାଧାରଣ ସମ୍ମିଳନୀ ନିଷ୍ପତ୍ତି ନିଆଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ଲକ୍ଷ୍ୟ । ଲୁଣା ଜଙ୍ଗଲଗୁଡିକ ପରିସଂସ୍ଥୀୟ ସନ୍ତୁଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଉଦ୍ଭିଦ ଗୁଡିକ ଅନେକ ଜୀବଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ଭାବରେ କାର୍ଯ୍ୟ କରିଥାଏ, ସେମାନଙ୍କୁ ଶିକାରକାରୀଙ୍କ କବଳରୁ ରକ୍ଷା କରିବାରେ ସହାୟକ ହୋଇଥାଏ ଏବଂ ପ୍ରବଳ ଉତ୍ତାପ ତଥା ପ୍ରବଳ ଜୁଆରରୁ ରକ୍ଷା କରିଥାଏ । ସ୍ଥାନୀୟ ଜୈବ ବିବିଧତାକୁ ସମୃଦ୍ଧ କରିବା ବ୍ୟତୀତ ଉପକୂଳବର୍ତ୍ତୀ ଲୁଣା ଜଙ୍ଗଲ ଗୁଡ଼ିକ ଆଭ୍ୟନ୍ତରୀଣ ଜଙ୍ଗଲ ଅପେକ୍ଷା ବାୟୁମଣ୍ଡଳରୁ ପାଞ୍ଚ ଗୁଣ ଅଧିକ ଅଙ୍ଗାରକାମ୍ଳ ଶୋଷଣ କରନ୍ତି । ମୋଟ ଉପରେ, ବିଶ୍ଵର ସାଧାରଣ ଜଙ୍ଗଲ କ୍ଷତି ଅପେକ୍ଷା ଉପକୂଳ ଲୁଣା ଜଙ୍ଗଲ ୩ରୁ ୫ ଗୁଣ ଦୃତ ଗତିରେ ଅଦୃଶ୍ୟ ହେଉଛି । ଗତ ୪୦ ବର୍ଷ ମଧ୍ୟରେ, ଲୁଣା ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ଅଞ୍ଚଳ ପ୍ରାୟ ଅଧା ହୋଇସାରିଲାଣି । ତେଣୁ, ଉପକୂଳର୍ବୀ ଲୁଣା ଜଙ୍ଗଲ ପରିସଂସ୍ଥାର ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ଧ୍ୟାନ ଆକର୍ଷଣ କରିବା ନିହାତି ଗୁରୁତ୍ୱପୂର୍ଣ୍ଣ ଅଟେ । ଜଳବାୟୁ ପରିବର୍ତ୍ତନ, ଜଳରେ ଲବଣାକ୍ତ ମାନ ହ୍ରାସ, ଜୁଆର ପରିବର୍ତ୍ତନ ଏବଂ ମୃତ୍ତିକା ପ୍ରଦୂଷଣ ତଥା କ୍ଷୟ ଭଳି ଅନେକ ସମସ୍ୟା ହେତୁ ଲୁଣା ଜଙ୍ଗଲ ପରିସଂସ୍ଥାର ସ୍ଥାୟୀତ୍ୱ ପ୍ରତି ବିପଦ ଦେଖାଯାଏ । ଏହି ସବୁ ଜଙ୍ଗଲ ପାଇଁ ମୁଖ୍ୟ ବିପଦ ହେଉଛି ଚିଙ୍ଗୁଡ଼ି ଚାଷ । କିଛି ଲୁଣା ଜଙ୍ଗଲକୁ କାଟି ଏକ କୃତ୍ରିମ ପୋଖରୀ ସୃଷ୍ଟି କରାଯାଏ ଯାହା ଚିଙ୍ଗୁଡ଼ି ପ୍ରଜନନ ପାଇଁ ବ୍ୟବହୃତ ହୁଏ । ଚିଙ୍ଗୁଡ଼ି ଦ୍ଵାରା ଆକ୍ରାନ୍ତ ରୋଗକୁ ରୋକିବା ଏବଂ ଅଧିକ ଅମଳ ପାଇଁ ଏଥିରେ ଆଣ୍ଟିବାୟୋଟିକ୍ ଏବଂ ରାସାୟନିକ ପଦାର୍ଥର ଅତ୍ୟଧିକ ବ୍ୟବହାର ହେଇଥାଏ । ଏଭଳି ଚିଙ୍ଗୁଡ଼ି ଚାଷର ବ୍ୟାପକତା ଦୃଷ୍ଟିରୁ କିଛି ବର୍ଷ ମଧ୍ୟରେ, ଲୁଣା ଜଙ୍ଗଲ ପରିସଂସ୍ଥୀୟ ସନ୍ତୁଳନ ଅପୂରଣୀୟ ଭାବରେ ନଷ୍ଟ ହୋଇ ଚାଲିଛି । ଲୁଣା ଜଙ୍ଗଲ ଉଦ୍ଭିଦ ଶକ୍ତ ହେତୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇପାରେ ତେଣୁ ବଜାରରେ ଏହାର ମୂଲ୍ୟ ଅଧିକ । ଏହି କାଠ ଜାଳ କାଠ ତଥା ଅଙ୍ଗାର ଉତ୍ପାଦନ ପାଇଁ ମଧ୍ୟ ବ୍ୟବହୃତ ହୁଏ । ଏହାଦ୍ୱାରା ଏହି ସବୁ ଜଙ୍ଗଲ ଦୃତ ଗତିରେ ନଷ୍ଟ ହୋଇ ଚାଲିଛି। ସଡ଼କ, ଏବଂ କୋଠାଘର, କିମ୍ବା ଚାଷ କ୍ଷେତକୁ ଜଳ ଯୋଗାଇବା ପାଇଁ ନଦୀଗୁଡ଼ିକର ସ୍ରୋତ ପରିବର୍ତ୍ତନ କରା ହୁଏ ଯାହା ଫଳରେ‌ ସମୁଦ୍ର ସହିତ ମିଳନ ସ୍ଥଳ ନଦୀ ମୁହାଣ ପ୍ରଭାବିତ ହୁଏ । ଏହା ମଧ୍ୟ ଲୁଣା ଜଙ୍ଗଲ ପରିସଂସ୍ଥା ବ୍ୟାଘାତର ଏକ ପ୍ରମୁଖ କାରଣ ଅଟେ । ଲୁଣା ଜଙ୍ଗଲ ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ପ୍ରାଣୀ ଜାତି ପ୍ରଜାତି ପାଇଁ ଏକ ଅନନ୍ୟ ବାସସ୍ଥାନ ଯୋଗାଇଥାଏ, ଯାହା ଅନେକ ସାମୁଦ୍ରିକ ଏବଂ ଆଭ୍ୟନ୍ତରୀଣ ଜୀବମାନଙ୍କ ପାଇଁ ପ୍ରଜନନ, ନର୍ସରୀ ଏବଂ ଖାଦ୍ୟ ପାଇବା ସ୍ଥାନ ଭାବରେ କାର୍ଯ୍ୟ କରିଥାଏ । ଘୂର୍ଣ୍ଣିବଳୟ ପରି ଅତ୍ୟଧିକ ପାଣିପାଗ ବିଭ୍ରାଟ ଜନିତ ଘଟଣାର ମୁକାବିଲା ପାଇଁ ମଧ୍ୟ ଲୁଣା ଜଙ୍ଗଲ ପରିସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଅଟେ । କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ ଲୁଣା ଜଙ୍ଗଲ ଧାମରା ମୁହାଣ ଏବଂ ବାରୁଣାଇ ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳକୁ ନେଇ ଗଠିତ ହୋଇଛି ଏବଂ ଏହାକୁ ଭୀତରକନିକା ଅଭୟାରଣ୍ୟ (୬୭୨ ବର୍ଗ କିଲୋମିଟର) ଭାବରେ ସୂଚିତ କରାଯାଇଛି । ଏହି କ୍ଷେତ୍ରର ଏକ ଅଂଶ (୧୪୫ ବର୍ଗ କିଲୋମିଟର)କୁ ଜାତୀୟ ଉଦ୍ୟାନ ଭାବରେ ମଧ୍ୟ ସୂଚିତ କରାଯାଇଛି । ଲୁଣା ଜଙ୍ଗଲର ଏହି ଅଞ୍ଚଳ ଅପେକ୍ଷାକୃତ ଭଲ ଭାବରେ ସଂରକ୍ଷିତ ରହିଛି । ଭିତରକନିକା ଅଭୟାରଣ୍ୟ ଭାରତରେ ଦ୍ଵିତୀୟ ସର୍ବବୃହତ ଜୈବ ବିବିଧତା ପରିସଂସ୍ଥା ଅଟେ । ଓଡ଼ିଶାର ୪୮୦ କିଲୋମିଟର ଦୈର୍ଘ୍ୟ ସମୁଦ୍ର ଉପକୂଳ ପ୍ରାଚୀନ କାଳରେ ଲୁଣା ଜଙ୍ଗଲ ଦ୍ଵାରା ଭରପୂର ଥିଲା, କିନ୍ତୁ ବର୍ତ୍ତମାନ ଏହା ଭିତରକନିକା ଅଞ୍ଚଳରେ ସିମୀତ ରହିଛି । ୧୯୯୯ରେ ଯେତେବେଳେ କେନ୍ଦ୍ରାପଡା ଜିଲ୍ଲାର ଉପକୂଳରେ ମହା ବାତ୍ୟା ଦ୍ଵାରା ଓଡ଼ିଶା ଆଘାତ ପାଇଥିଲା, ସେତେବେଳେ ଭୀତରକନିକା ଉପକୂଳରେ ଲୁଣା ଜଙ୍ଗଲ ରହି ଥିବାରୁ ସର୍ବନିମ୍ନ କ୍ଷତି ଘଟିଥିଲା ।

Leave A Reply

Your email address will not be published.