mahavir

ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ର ତୃତୀୟ ସନ୍ଧ୍ୟାରେ ହରିୟଣାର ଝୁମରରେ ଝୁମିଲେ ଦର୍ଶକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାଵହ ୩୨ ତମ “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ବେଳେ ପ୍ରଥମେ ପଶ୍ଚିମ ଓଡ଼ିଶାର କଳାକାରମାନେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସଭା ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ ଡ଼. ସାହୁ ସମସ୍ତ ଅତିଥି ମାନଙ୍କ ସହିତ ଉପସ୍ଥିତ ଦର୍ଶକ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିବା ସହ କିଣାବିକା କରି ବିଭିନ୍ନ ପାରମ୍ପାରିକ ଖାଦ୍ୟର ଭରପୂର ମଜା ନେବା ପାଇଁ ଅନୁରୋଧ କରିଥିଲେ । ଏହି ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ପ୍ରଫେସର ଡ. ବିଧୁଭୂଷଣ ମିଶ୍ର, କୁଳପତି ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତି ବିହାର) ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ପ୍ରଫେସର ଡ. ରଘୁନାଥ ମେହେର ଅବସର ପ୍ରାପ୍ତ ପ୍ରାଧ୍ୟାପକ ସମ୍ବଲପୁର, ସୁଶାନ୍ତ କୁମାର ଦାଶ କୁଳପତି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ପ୍ରଫେସର ଡ. ଗୋପିନାଥ ବାଗ, ଓଡ଼ିଆ ବିଭାଗ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଯୋଗଦାନ କରି ଲୋକ ମହୋତ୍ସବର ସାମଗ୍ରିକ ସାଜସଜ୍ଜା ବହୁତ୍ ଉଚ୍ଚକୋଟିର ହୋଇଥିବାରୁ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ । ସୁବର୍ଣ୍ଣପୁର ମଣିଷର ମାଟି, ମନର ମାଟି ଓ ମହାନଦୀର ମାଟି ବୋଲି ମତ ରଖି ଆପଣଙ୍କ ଜିଲ୍ଲାପାଳ ଜଣେ ସୁନାର ଭଲ ମଣିଷ ବୋଲି ଖୁବ୍ ପ୍ରଶଂସା କରିଥିଲେ । ଶିଳ୍ପ ଓ କଳା ସଂସ୍କୃତି ସହ ଏଠାକାର ପଲ୍ଲୀଶ୍ରୀ ମେଳା ଯୋଡ଼ି ହୋଇଛି ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲାପାଳ ଜନସାଧାରଣ ଆସି ଭରପୁର ମଜା ନେବା ପାଇଁ ଅନୁରୋଧ କରିଥିଲେ । ବିନିକା ସେଣ୍ଟ ଭେଲି ସ୍କୁଲର ଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଭୀମ ଭୋଇ କଳାକାରଙ୍କ ଦ୍ଵାରା ସମାପନ ସଙ୍ଗୀତ ଗାନ କରାଯାଇଥିଲା । ସଭା ଶେଷରେ ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଦଳ ଯଥା ବ୍ଲକ କଳା ପରିଷଦ ସଂଘ ସୋନପୁର, ମହଦା ଦଣ୍ଡନୃତ୍ୟ ଦଳ ବିନିକା, ଓଡିଶୀ ଭୁବନେଶ୍ୱର, ପଏଁରୀ ସୋନପୁର, ବଙ୍ଗୀୟ ସନାତନୀ ସଂସ୍କୃତି ସଂଘ ପଶ୍ଚିମବଙ୍ଗ, ବିହୁ ନୃତ୍ୟ ଆସାମ, ସୟମ ପଡିଆବାହାଲ, ବରଗଡ଼, ନୂତନ କଳା ପରିଷଦ ଫୁଲବାଣୀ, ଝୁମର ହରିୟଣା , ରୂପଶ୍ରୀ କଳା ପରିଷଦ ତରଭା, ପାଇକ ଆଖଡ଼ା ଖୋର୍ଦ୍ଧା, ଢାପ ପାଟଣାଗଡ଼ଙ୍କ ଗୀତନାଚକୁ ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଉପଭୋଗ କରିଥିଲେ । ଫୁଡ୍ କୋର୍ଟ ଓ ପଲ୍ଲୀଶ୍ରୀ ମେଳାର ବିଭିନ୍ନ ଷ୍ଟଲରେ ଲୋକଙ୍କ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.