jayashree

ରାଉରକେଲାରେ ରେଳ ଡିଭିଜନ ଓ ୪ସି ବିମାନବନ୍ଦର ଦାବୀରେ ମିଳିତ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରେଳ ଡିଭିଜନ ଓ ୪ସି ବିମାନବନ୍ଦର ଲାଇସେନ୍ସ ଦାବୀରେ ରାଉରକେଲାର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସମାଜସେବୀ ମିଳିତ ଭାବେ ବିର୍ସା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱ ଓ ବରିଷ୍ଠ ବିଜେଡି ନେତା ଆନନ୍ଦଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସାରଦା ପ୍ରସାଦ ନାୟକ, ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ପ୍ରଭାତ ମହାପାତ୍ର, ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ହରିହର ରାଉତରାୟ, ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ, ବିଜେଡି ନେତା ଆର୍ତ୍ତତ୍ରାଣ ମହାରଣା, ଗଗନ ପଣ୍ଡା, ଗୌତମ ବଡା, ରାଜେନ୍ଦ୍ର କୁଜୁର, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ସିପିଏମ୍ ନେତା ଜାହାଙ୍ଗୀର ଅଲ୍ଲୀ, ସୁରେନ୍ଦ୍ର ଦାଶ, ରେଳ ଓ ସଡକ ବ୍ୟବହାରକାରୀ ସଂଘର ଅମୂଲ୍ୟ ଚରଣ ବରାଳ, ଉତ୍ତର ଓଡିଶା ରେଳ ସମନ୍ୱୟ ସମିତିର ସାଧାରଣ ସଂପାଦକ ସଂଗ୍ରାମ କେଶରୀ ମହାନ୍ତି, ଶିଳ୍ପାଞ୍ଚଳ ଶ୍ରମିକ ସଭାର ଦିଗମ୍ବର ମହାନ୍ତି, ସେଭ ରାଉରକେଲାର ସୁପ୍ରତିକ ମିଶ୍ର ବକ୍ତବ୍ୟ ରଖି ରାଉରକେଲାବାସୀଙ୍କର ଏହି ଦାବୀ ଯଥାର୍ଥ ବୋଲି ମତ ରଖିଥିଲେ । ଏହାକୁ ନେଇ ମିଳିତ ଆନ୍ଦୋଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ରାଉରକେଲା ସହରର ଗୁରୁତ୍ୱ ଓ ଆବଶ୍ୟକତା ଦୃଷ୍ଟିରୁ ଏହି ଦୁଇଟି ଦାବୀ ସଂପର୍କରେ ସରକାରଙ୍କ ନିକଟରେ ଦୃଢ ଦାବୀ ଉପସ୍ଥାପିତ କରାଯିବା ସହିତ ଏହାକୁ ହାସଲ କରିବା ପାଇଁ ସକଳ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ଉପରେ ନେତୃବୃନ୍ଦ ମତ ଦେଇଥିଲେ । ଶେଷରେ ଆବାହକ ଶ୍ରୀ ଦତ୍ତ ଦାବୀ ପୂରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ଥିବା ବହୁ ନେତୃବୃନ୍ଦ ସମସ୍ତ ଦାବୀ ପ୍ରତି ସେମାନଙ୍କର ସମର୍ଥନ ରହିଥିବା ଆବାହକଙ୍କୁ ଜଣାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଏଥିରେ ଯୋଗଦେଇ ଥିଲେ ।

Leave A Reply

Your email address will not be published.