jayashree

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

  • ଏନ୍‌ଫୋର୍ସମେଣ୍ଟକୁ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ
  • ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥରେ ଚିହ୍ନଟ
  • ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ସୂଚନା ଫଳକ ସହ ଜରୁରୀ ଯୋଗାଯୋଗ ନମ୍ବର ଲଗାଇବାକୁ ନିର୍ଦ୍ଦେଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଆହୁତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଜିଲ୍ଲା ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଏସ୍‌ଇପିଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଟିବି ଡ଼ଃ ପଦ୍ମହଂସା ଦୋରା, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ, ଟ୍ରକ ମାଲିକ ସଂଘ ସଭାପତି ଭାସ୍କର ବାବୁ ଶ୍ରଦ୍ଧାକର ଦାଶ, ରେଆର ପ୍ରତିନିଧି ଅଞ୍ଜଳି ନେଗୀ, ସାମ୍ବାଦିକ ମୃତ୍ୟୁଞ୍ଜୟ ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଏମ୍‌ଭିଆଇ ବିଶ୍ୱ ରଞ୍ଜନ ସାହୁ, ବିଭାଗୀୟ ଅଧିକାରୀ, କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗଦେଇ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ରାସ୍ତା ଗୁଡିକର ଭିତ୍ତିଭୂମିକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରି ଜିଲ୍ଲା ଅନ୍ତର୍ଗତ ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥରେ ଥିବା ବୁଲାଣୀ ଓ ଦୁର୍ଘଟଣା ପ୍ରବଣ ସ୍ଥାନ, ରାସ୍ତା ସଂଲଗ୍ନ ସ୍କୁଲ, ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ସହ ଅନ୍ୟାନ୍ୟ ଚିହ୍ନଟ ସମ୍ବେଦନଶୀଳ ସ୍ଥାନ/ଅଞ୍ଚଳରେ ସାଂକେତିକ ଫଳକ ସହିତ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକରେ ସୂଚନା ଫଳକ ସହିତ ତୁରନ୍ତ ଜରୁରୀ ସହାୟତା ନମ୍ବର ପଦର୍ଶନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ । ପୁନଶ୍ଚ ପିଚୁ ରାସ୍ତା ଉପରେ ଲୁହାଚକ ଟ୍ରାକ୍ଟର ଚାଳନା ଉପରେ ମଧ୍ୟ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି । ଗ୍ରାମୀଣ ରାସ୍ତାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ସୂଚନା ଫଳକ, ଲମ୍ବରର, ସ୍ପିଡ଼ ବ୍ରେକର ଲଗାଇବାକୁ ଜିଲ୍ଲାପାଳ ଶ୍ରୀ ରାୟ ସମ୍ପୃକ୍ତ ଏନ୍‌ଏଚ, ପିଡବ୍ଲୁଡି ଓ ଆରଡି ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏତଦ୍‌ ବ୍ୟତୀତ ଜିଲ୍ଲାର ସଡ଼କ ଦୁର୍ଘଟଣା ସହ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଜନ ସଚେତନତା ତଥା ପୋଲିସ ପ୍ରଶାସନ ସହ ମିଳିତ ଭାବେ ଜୋରଦାର ଚଢ଼ାଉ ଉପରେ ଗୁରୁତ୍ଵାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ । ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ବିନା ହେଲମେଟରେ ଗାଡିଚାଳନାରେ ୩୨୬୫ ଜଣ, ଦ୍ରୁତ ଗତି ଗାଡି ଚାଳନା ନିମନ୍ତେ ୨୫୫୬, ବିନା ସିଟ ବେଲ୍ଟ ଗାଡି ଚାଳନାରେରେ ୮୯, ମୋବାଇଲ ଫୋନ ବ୍ୟବହାର ସହ ଗାଡି ଚାଳନାରେ ୨୪୭, ମାଲ ବୁହା ଗାଡ଼ିରେ ଯାତ୍ରୀ ପରିବହନ ସକାଶେ ୯୨ ଏବଂ ମଦ୍ୟପ ଗାଡିଚାଳନାରେ ୧୩୭ଜଣଙ୍କୁ ଧରାଯାଇଥିବା ବେଳେ ୧୨୮୭ ଜଣଙ୍କ ଗାଡି ଚାଳନା ପଞ୍ଜିକରଣକୁ ରଦ୍ଦ କରାଯାଇ ଥିବା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ୨୦୨୩ ବର୍ଷ ଉପରୋକ୍ତ ସମୟ ସୁଦ୍ଧା ସମୁଦାୟ ୪୫ଟି ସଡ଼କ ଦୁର୍ଘଟଣା ଘଟି ୩୬ ଜଣଙ୍କ ଅକାଳ ବିୟୋଗ ହୋଇଥିବା ସୂଚୀତ କରିଛନ୍ତି । ଜିଲ୍ଲପାଳ ଏହି ଅବସରରେ ସମସ୍ତ ଜିଲ୍ଲାବାସୀଙ୍କୁ ସଡ଼କ ସୁରକ୍ଷାର ସମସ୍ତ ନିୟମକୁ ପାଳନ କରିବା ସହିତ ଜିଲ୍ଲାରୁ ଦୁର୍ଘଟଣାଜନିତ ମୃତ୍ୟୁକୁ ହ୍ରାସ କରିବାରେ ଗାଡି ଚାଳକ ତଥା ଜନସାଧାରଣ ଯତ୍ନବାନ ହେବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.