ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ୨୬ ନଂ ଜାତୀୟ ରାଜପଥର ଦେଓଗାଁ ସୋନଗଡ ବ୍ରିଜର ବଙ୍ଗଳା ଛକ ପଟକୁ ପୋଲର ଶେଷ ଭାଗରେ ରାସ୍ତାକଡ଼ରେ ୧୨ରୁ ୧୫ ଫୁଟ ଉଚ୍ଚ ବିଶିଷ୍ଟ ଅନାବନା ଘାସ, ଗଛ ଲତା ରହିଥିବାରୁ ବିଭିନ୍ନ ସମୟରେ ଏଠାରେ ଛୋଟମୋଟ ଦୁର୍ଘଟଣାର ପରିସ୍ଥିତି ଦେଖିବାକୁ ମିଳୁଛି । ନଦୀ ପୋଲର ଶେଷ ଭାଗରେ ରାସ୍ତା ବଙ୍କା ଥିବାରୁ ଏହି ପାର୍ଶ୍ଵ ଗଛଲତା ଯୋଗୁଁ ସାମ୍ନାପଟରୁ ଗାଡି ମୋଟର ଆସୁଥିବା ଜଣା ପଡୁ ନ ଥିବାରୁ ଏହି ସ୍ଥାନରେ ବିପଦ ଦ୍ଵିଗୁଣିତ ହୋଇଯାଇଛି । ଏହି ଜାତୀୟ ରାଜପଥରେ ନିୟମିତ ସହସ୍ର ଯାନ ବାହାନ ଯିବା ଆସିବା କରୁଥିବାରୁ ଏହି ବିପଦ ସମ୍ପୂର୍ଣ୍ଣ ସ୍ଥାନରେ ଦୁର୍ଘଟଣା ଘଟି କେବେ ଯେ କାହାର ଜୀବନ ଯିବ ତାହା କିଏ ବା ଜଣେ ବୋଲି ମତ ପ୍ରକାଶ ପାଇବା ସହ ଯଥାଶୀଘ୍ର ଏହି ସ୍ଥାନରେ ରାସ୍ତା ଉପରକୁ ଚଢ଼ି ଆସୁଥିବା ଗଛଲତାକୁ କାଟି ସଫା କରାଯିବାକୁ ଯାତ୍ରୀ ମହଲରେ ଦାବି ହେଉଛି ।