ଜି-୨୦ ଜନଭାଗିଦାରୀ : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ- ଆରଆଇଇ, ଏନସିଇଆରଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଗତକାଲି ପ୍ରତିଷ୍ଠାନ ପରିସରରେ ଥିବା ଡିଏମ ସ୍କୁଲ ପରିସରରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।
ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ, ଡିଏମ ସ୍କୁଲର ଅଧ୍ୟକ୍ଷ ଏ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପି.କେ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପଟେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଜି୨୦ ବିଷୟବସ୍ତୁକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।