ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌

ଭୁବନେଶ୍ୱର/ରାଉରକେଲା, (କେପିଏନ୍‌ଏସ୍‌) : ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଦକ୍ଷିଣ କୋରିଆ ଓ ଭାରତ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍‌ରେ ଦର୍ଶକଙ୍କୁ ବାରଣ କରାଯାଇଛି । ତେଣୁ ହକିପ୍ରେମୀ ଭାରତ-ଦକ୍ଷିଣ କୋରିଆ ମ୍ୟାଚ୍‌ ଦେଖିବାରୁ ବଞ୍ଚିତ ହେବେ । ଷ୍ଟାଡିୟମରେ କୋଭିଡ୍‌ ନିୟମ କଡ଼ାକଡ଼ି କରାଯାଇଛି । ଷ୍ଟାଡିୟମରେ ପ୍ରବେଶ ପାଇଁ କୋଭିଡ୍‌ ପରୀକ୍ଷା କରାଇଥିବା ଜରୁରି ରହିଛି । ସୂଚନା ଅନୁସାରେ, ଶୁକ୍ରବାର ଦକ୍ଷିଣ କୋରିଆ ଜୁନିୟର ହକି ଦଳ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା । ଘରୋଇ ଓଡ଼ିଶା ଦଳ ବିପକ୍ଷରେ ଏହି ମ୍ୟାଚ୍‌ ଖେଳିଥିଲା । ମ୍ୟାଚ୍‌ ବେଶ ଚିତାକର୍ଷକ ହୋଇଥିଲା । ଶେଷରେ ଓଡ଼ିଶା ୨-୧ ଗୋଲରେ ବିଜୟୀ ହୋଇଥିଲା । ଭାରତ ଓ ସେଲ ମଧ୍ୟରେ ଅନ୍ୟ ଏକ ମ୍ୟାଚ୍‌ ଅଭ୍ୟାସ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଭାରତ ୪-୦ ଗୋଲରେ ବିଜୟୀ ହୋଇଥିଲା । ଅଲିମ୍ପିଆନ ଲାଜରୁସ ବାର୍ଲା ଓଡ଼ିଶା ଦଳର ମୁଖ୍ୟ କୋଚ୍‌ ଓ ପ୍ରଫୁଲ୍ଲ ତିର୍କୀ ସହଯୋଗୀ କୋଚ୍‌ ରହିଛନ୍ତି ।

Leave A Reply

Your email address will not be published.